ହେ ମୋର କର୍ମ ଭୂମି ପ୍ରିୟ ଏକଡାଳ
ଅବିରତେ ବନ୍ଦେ ତୋର ଚରଣ କମଳ
ତୋ ଚାରୁଚରଣ ଧୁଏ ଚିତ୍ରୋତ୍ପଳା ଜଳ
ସବୁଜ ବନାନୀ କୁଞ୍ଜ ଆମ୍ରତୋଟାମାଳ
କଳକଳ ନିନାଦିନୀ ମହାନଦୀ କୁଳ
ସବୁଜ କେଦାର କ୍ଷେତ ମଞ୍ଜୁଳ ବଞ୍ଜୁଳ
ଚଳ ଚଞ୍ଚଳ ଅଞ୍ଚଳ ଟାଣି କୂଳବଧୁ
ପତିସଙ୍ଗେ ଚଳେରଙ୍ଗେ ଭାତ ରାନ୍ଧୁରାନ୍ଧୁ
ପ୍ରକୃତି ଶୋଭା ପସରା ତୋର ଅପାଶୋରା
ପଲ୍ଲୀଚିତ୍ର କିଣେଗାତ୍ର ମନମୁଗ୍ଧ ଭରା
ଗ୍ରାମଦେବୀ ଅଧିଷ୍ଠାତ୍ରୀ ଜୟ ମା ବାଉତୀ
ତା’ଚରଣେ ଅନୁକ୍ଷଣେ ରଖିଅଛି ମତି
ଗଢିଦେଲା ତୋ କୋଳରେ ଉଚ୍ଚ ବିଦ୍ୟାଳୟ
ଚନ୍ଦ୍ର ସୂର୍ଯ୍ୟ ଥିବା ଯାଏ ନାହିଁ ଯା ବିଲୟ
ସେହି ବିଦ୍ୟାଳୟେ ମୋତ୍ରେ ଦେଲା ଯା ନିଯୁକ୍ତି
ବିତିଗଲା ମାସ ମାସ ବର୍ଷ ଦିବାରାତ୍ରି
ପଞ୍ଚତ୍ରିଶ ବର୍ଷ ଗଲା ପୂଣ୍ୟ ପିଠେ ତୋର
ମାତ୍ର ହାୟ ନିରୁପାୟ ନେଲି ଅବସର
କର୍ମକ୍ଷେତ୍ର ଅବସର ତୋ ପୂଜା ଆସର
ମାନସେ ମୋ ଭରିଦେ ମା କୃପା ଅସୁମାର
ଗୋପେ ଗୋପୀ ମନଚୋରି କରି ଗୋପୀନାଥ
ଗୋପନେ କି ଲୁଚିଅଛି ଏକଡାଳ ମଠ
ଭ୍ରମିଥିଲି ଏକାନ୍ତରେ କେତେ ପୂଣ୍ୟ ପୀଠ
ସେ ପୀଠରେ ଉନ୍ମାଦରେ କରିଥିଲି ନାଟ
ମରିଗଲା ବେଳେ ହାୟ ପୁରିନାହିଁ କାଳ
କାଳେକାଳେ ତୁମେ ମାତ୍ର ହେବ ମୋ ସମ୍ବଳ
ଦେଖୁଥିଲି ସବୁଦିନ ରାମଳୀଳା ଛକ
ଚାହୁଁ ଚାହୁଁ ମନଯାନ ହୁଅଇ ଅଟକ
ପୂର୍ଣ୍ଣବ୍ରହ୍ମ ପରଂବ୍ରହ୍ମ ଜୟ ସୀତାରାମ
ତୁମ ନାମେ ଦେଖାଇବ ଦିନେ ପୂଣ୍ୟଧାମ
ଜୟ ଜୟ ବିଶ୍ଵନାଥ ତୁମେ ବିଶ୍ବପତି
ଅଗତି ର ଗତି ପ୍ରଭୁ ହେ ପାର୍ବତୀ ପତି
ରଟୁଥିବି ତୁମ ନାମ ବସି ଦିବାରାତ୍ରି
ଅନ୍ତକାଳେ ମୁକ୍ତିଯାନେ ହୋଇବ ସାରଥି
ଅସୁମାର ଇତିହାସ ବର୍ଣ୍ଣନା ର ବେଳ
ନାହିଁନାହିଁ ଆହେ ମୋର ପ୍ରିୟ ଏକଡାଳ
ଯହିଁ ଥାଏ ତୋ ନାମକୁ କରି ଜପାମାଳ
ଗାଉଥିବି କହୁଥିବି ତୋ ଗାଥା କେବଳ
କର୍ମକ୍ଷେତ୍ରୁ ଦେଲୁ ତଡି ମନକ୍ଷେତ୍ରେ ମୋର
ରହିଥିବୁ ନିରନ୍ତର ନହେବୁ ଅନ୍ତର
ତୋର ପଦଧୁଳି ବୋଳି ଏ ମୋର ମସ୍ତକ
ସବୁକାଳେ ତୋ ନାମର ରଖିଥିବି ଟେକ
ତୋ ବିମଳ ଜଳେ ଖେଳୁ ମୋ ମନ ସାରସ
ତୋର ଯଶ ଗାଉଥିବ ମୁଖରେ ସନ୍ତୋଷ