ମୁ ନବମ ଶ୍ରେଣୀରେ ପଢୁଥାଏ । ଆମର ଷାଣ୍ମାସିକ ପରୀକ୍ଷା ସରି ଯାଇଥାଏ । ସେ ସମୟରେ ପରୀକ୍ଷା ସରିଗଲେ ସାର ମାନେ ତାଙ୍କର ପିରିୟଡ଼ରେ ନିଜ ନିଜ ବିଷୟର ଖାତା ଦେଖାନ୍ତି । ଆମେ ଆମର ପରୀକ୍ଷାରେ ରଖିଥିବା ମାର୍କକୁ ଦେଖୁ ଏବଂ ଯଦି କେଉଁଠି ଭୁଲ ଥାଏ ତାହେଲେ ତାହା ଶିକ୍ଷକଙ୍କ ନଜରକୁ ନେଉ ତାହାକୁ ସଂଶୋଧନ କରିବା ପାଇଁ । ସେତେବେଳେ ଆମର ଗଣିତ ପଢାଉଥାନ୍ତି ଶ୍ରୀଯୁକ୍ତ ପ୍ରମୋଦ ବେହେରା । ଆଉ ଆମେ ତାଙ୍କୁ ସମସ୍ତେ ପ୍ରମୋଦ ସାର ବୋଲି ଡାକୁ । ପ୍ରଭୁ ଶ୍ରୀ ଜଗନ୍ନାଥ ଓ ମା ବାଉତି ତାଙ୍କୁ ଦୀର୍ଘ ଜୀବନର ଆଶିଷ ପ୍ରଦାନ କରନ୍ତୁ ଏତିକି ହିଁ ଭଗବାନଙ୍କ ନିକଟରେ ପ୍ରାର୍ଥନା । ପ୍ରମୋଦ ସାରଙ୍କ ଚେହେରା ଓ ଚାଲିରେ ସେ ସମୟର ପ୍ରତ୍ଯେକ ଛାତ୍ରଛାତ୍ରୀ ଭୟଭୀତ ହେବା ସ୍ଵାଭାବିକ କଥା । ସେ ଅଫିସ ରୁମରୁ ବାହାରି ଆସିଲେ କୋଳାହଳ ରେ ଫାଟି ପଡୁଥିବା ଶ୍ରେଣୀଗୃହଟା ଝଡପୂର୍ବର ନିରବତାରେ ପରିଣତ ହୋଇଯାଏ । ସାଇକେଲରେ ଆସୁଥିଲେ ବି ଦୋକାନ ପଛପଟେ ଲୁଚିଥିବା ପିଲାଙ୍କର ଗୋଡ ଗଣିକି ସେ କହିଦେବେ କେତେ ଜଣ ପିଲା ଥିଲେ ଏବଂ ତା ବିଷୟରେ ପଚାରିଲେ ପଛରେ ଯିଏ ଛିଡା ହୁଏ ତା କଥା ତ ନକହିବା ଭଲ କାହିଁକି ନା ସେଦିନ ବେଶୀ ମାଡ଼ ଖାଇବା ତା ଭାଗ୍ୟରେ ଲେଖାଥାଏ । ଛାଡନ୍ତୁ ତାଙ୍କର କଥା ଓ ବୁଦ୍ଧିମତା। କିନ୍ତୁ ସାରଙ୍କ ଭଳି ଉଦାର ହୃଦୟର ବ୍ୟକ୍ତିଟେ ମୁ ଆଜି ଯାଏ ଦେଖିନି।
ଗଣିତ ପରୀକ୍ଷା ତ ସରି ଯାଇଛି । ଖାତା ଦେଖା ହେବ । କାହାର କେତେ ମାର୍କ ଥିବ ସେ ବିଷୟରେ କେହି ତତ୍ପର ନଥାନ୍ତି । କେବଳ ଏହି ଭୟ ଭିତରେ ସମୟ ବିତାଉଥାନ୍ତି କି କାହା ଉପରେ କେତେ ମାଡ଼ ହେବ କାହିଁକି ନା ତାଙ୍କର ବାଡେଇବାର ଶୈଳୀ ସମସ୍ତଙ୍କଠୁ ଭିନ୍ନ ଏବଂ ଅନନ୍ୟ । ବାଉଁଶ ଫାଳିଆ , ଅମରି (ରାଇପନୀ ) ଓ ଗଉରୀବେତ ସବୁ ସଜା ହୋଇ ରହିଥାଏ ପିଲାମାନେ ମାଡ଼ ଖାଇବା ପାଇଁ । ସେ ସମୟ ପାଖେଇ ଆସେ । ସାର ଖାତାବିଡାଟା ଧରି ଶ୍ରେଣୀଗୃହକୁ ପ୍ରବେଶ କଲେ । ଜଣ ଜଣ କୁ ଡାକି ତାଙ୍କୁ ତାଙ୍କର ଖାତା ଦେଲେ । ତା ପରେ ଆରମ୍ଭ ହୁଏ ଅସଲ ନାଟକ । ଯିଏ ବେଶୀ ମାର୍କ ରଖିଥାଏ ତା ଉପରେ ବେଶୀ ମାଡ଼ । ସେ ସନ୍ଦର୍ଭରେ ବେଶୀ ମାଡ଼ ଖାଇବା ପାଇଁ ଆମେ ସମୟକୁ ଅପେକ୍ଷା କରିଥାଉ । ଆଉ ସେ ସମୟ ମଧ୍ୟ ଆସିଲା । ଯେହେତୁ ଆମେ ଶ୍ରେଣୀରେ ସବୁଠୁ ବେଶୀ ମାର୍କ ରଖିଥିଲୁ ସେଥିପାଇଁ ଆମକୁ ପ୍ରଥମେ ଡକାଗଲା। ଆମେ ଶାନ୍ତ , ସରଳ ଓ ଆଜ୍ଞାଧୀନ ଛାତ୍ର ହିସାବରେ ଆମର ହାତକୁ ଆଗକୁ ବଢେଇ ଦେଲୁ । ପ୍ରଥମ ପାହାରରେ ବାଉଁଶ ଫାଳିଆଟା ଭାଙ୍ଗିଗଲା । ଆମର ଜଣେ ବନ୍ଧୁ ରାଇପନୀ ଆଣିବାକୁ ବାହାରକୁ ଗଲେ । ସେ ସମୟରେ ସାରଙ୍କ ଗାଳି ଗୁଡାକ ସତେ ଯେମିତି ପାରିଜାତ ପୁଷ୍ପର ବର୍ଷାକୁ ଅଟ୍ଟହାସ୍ୟ କରୁଥାଏ । କିଛି ସମୟ ପାଇଁ ଆମେ ମାଡ଼ରୁ ବଞ୍ଚିଗଲୁ । ଭିତରେ ଭିତରେ ଭଗବାନଙ୍କୁ ଡାକୁଥାଉ ପ୍ରଭୁ ମୋ ପରବର୍ତ୍ତୀ ପିଲାକୁ ଡକାଯାଉ । କିନ୍ତୁ ସାର ତ ଥିଲେ ନଛୋଡବନ୍ଧା । ଆମକୁ ବାଡେଇବା ପାଇଁ ସତେ ଯେମିତି ଘରୁ ପଣ କରି ଆସିଛନ୍ତି। ରାଇପନୀର ମାଡ ଆରମ୍ଭ ହେଲା । ମୋର ସେ ସାଙ୍ଗ କୁ ଧନ୍ୟବାଦ ଯେ ସେ ଆଣିଥିବା ରାଇପନୀରେ ପଛପଟକୁ ବାଡେଇଲେ ତାର ଅଗ୍ରଭାଗଟି ଆସି ଛାତିରେ ବାଜେ ତାହା ପୁଣି ସାପ ଭଳିଆ ଦେହରେ ଦୁଇ ଥର ଗୁଡେଇ ହେଲା ପରେ । ସେ ଯାହା ହେଉନା କାହିଁକି ତିନି ପାହାରରେ ରାଇପନୀଟି ଭାଙ୍ଗିଗଲା । ତା ପରେ ଆସିଲା ଗଉରୀ ବେତ। ଆଉ ସାର ମଧ୍ୟ ରାଗରେ ଛିଡା ହୋଇ ପଡିଲେ । ତା ପରେ ଯେତେ ବଳ ତାଙ୍କର ସେତେ ଜୋରରେ ୧୦ ରୁ ୧୫ ପାହାର ବାଡେଇଲେ ଏବଂ ନିଜେ ଥକିଗଲା ପରେ ଯାଇ ଚୌକି ରେ ବସିଲେ । ପରିବାରରେ କିଏ ମରିଗଲା ପରେ ଯେମିତି ବନ୍ଧୁ , ପରିଜନ ସମସ୍ତେ ଏକ ସ୍ଵରରେ କାନ୍ଦନ୍ତି ସେହି ସମୟରେ ଶ୍ରେଣୀଗୃହଟା ଅବିକଳ ତାହା ପରି ଲାଗୁଥାଏ ବା ତାହାର ଭ୍ରମ ସୃଷ୍ଟି କରୁଥାଏ । ତା ଭିତରେ ମଧ୍ୟ ହସିବାକୁ ମିଳେ ଯେତେବେଳେ ଆମର ଅନ୍ୟ ବନ୍ଧୁମାନେ ମାଡ ଖାଇବା ସମୟରେ କଥକ ଏବଂ ଭାରତନାଟ୍ୟମ ଭଳି ନୃତ୍ୟ ପରିବେଷଣ କରନ୍ତି । ସାର ଗଲା ପରେ ମଧ୍ୟ କାନ୍ଦ ବୋବାଳିରେ ଶ୍ରେଣୀଗୃହଟା ଫାଟି ପଡୁଥାଏ । ଅନ୍ୟ ସମୟରେ ଏକ , ଦୁଇ ବାହାନାରେ ବାହାରେ ବୁଲୁଥିବା ପିଲାମାନଙ୍କର ସେଦିନ ଏକ , ଦୁଇ କୁଆଡେ ଉଭାନ ହୋଇ ଯାଇଥାଏ । ପାଠପଢା ସରିଲା ଏବଂ ସମସ୍ତେ ନିଜ ନିଜର ବହି ଧରି ଘରକୁ ବାହାରିଲୁ । ବହି ଥୋଇ ଦେଇ ଆମେ ଡାକ ଦେଲୁ “ ବୋଉ, ଖାଇବାକୁ ଦେ “। ସବୁଦିନ ଆମେ ଘରକୁ ଗଲାପରେ କଳାପ୍ଯାଣ୍ଟ ଓ କାନ୍ଧକଟା ଗଞ୍ଜି ପିନ୍ଧି ବାହାରକୁ ଖେଳିବାକୁ ଯାଉ । ସେ ସମୟରେ ସ୍କୁଲ ୟୁନିଫର୍ମ ହିଁ ସବୁକିଛି ଥିଲା ଏବଂ ବାହାରକୁ କୌଣସି ଜାଗାକୁ ବୁଲିବାକୁ ଗଲେ ଗୋଟେ ଘିଅ ରଙ୍ଗର ସାର୍ଟଟି ପିନ୍ଧି ଆମେ ଯାଉ । କିନ୍ତୁ ସେଦିନ ଆମେ ସେ ଘିଅ ରଙ୍ଗର ସାର୍ଟ ଟି ପିନ୍ଧି ଖେଳିବାକୁ ବାହାରିଲୁ । ସମସ୍ତଙ୍କର ବୋଉମାନେ ପୁଅ , ଝିଅର ଦୋଷ , ଦୁର୍ବଳତା ଧରିବା ପାଇଁ ସତେ ଯେମିତି ପୃଥିବୀର ପ୍ରଖ୍ୟାତ ଗୁଇନ୍ଦା ସଂସ୍ଥା ମାନଙ୍କ ଠାରୁ ପ୍ରଶିକ୍ଷିତ ହୋଇଥାନ୍ତି । ସେଥିରୁ ମୋ ବୋଉ ବା ବାଦଯିବ କେମିତି । ମୁ ତରତର ହୋଇ ଖେଳିବାକୁ ପଳେଇବାକୁ ବାହାରିଛି । ସେ ହଠାତ ଜାଣିପାରିଲା ନାହି ବୋଧେ । ମୁ ଟିକେ ବାଟ ଯାଇଛି ହଠାତ ପଛରୁ ଡାକିଲା “ ପୁଅ ଟିକେ ଆସିଲୁ “। ମୁ ବି ତା ଡାକ ଶୁଣି ଆସିଲି । ଆଜି କଣ ସାର୍ଟ ଟା ପିନ୍ଧିଛୁ ? ଶୀତଦିନ ଥାଏ । ମୁ କହିଲି ଶୀତ ଟିକେ ଲାଗୁଛି ତ ସେଥିପାଇଁ ପିନ୍ଧିଛି । ମୋ ମୁଣ୍ଡରେ ହାତ ମାରି ଦେଖିଲା କାଲେ ମୋତେ ଜ୍ଵର ହେଇଛି ନା କଣ । ଦେଖିଲା ଠିକ ଅଛି । ତଥାପି ତା ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥାଏ ଏବଂ ପ୍ରଶ୍ନର ଭାନୁମତୀ ପେଡିରୁ ଗୋଟେ ଗୋଟେ ପ୍ରଶ୍ନ ପଚାରୁଥାଏ । ମୁ ମଧ୍ୟ ତାର ସନ୍ତୋଷଜନକ ଉତ୍ତର ଦେଇ ଚାଲିଥାଏ । ପ୍ରଶ୍ନ ଗୁଡିକ ସରିଗଲା ପରେ ମୁ ତରତର ହୋଇ ଖେଳିବାକୁ ପଳେଇଲି ।
ମୁ ଫେରି କହିଲି “ ବୋଉ କଣ ଖାଇବି ?”ମୋତେ ଗେଲରେ ପଚାରିଲା କଣ ହେଇଛି ସତ କଥା କହୁନୁ । କଣ ପାଇଁ ତୁ ସାର୍ଟ ଟା ପିନ୍ଧିଛୁ ? ଏଣୁ ତେଣୁ କଥା କହି ମୁ ତାକୁ ଗାଲୁରେ ବାହିଏ ପେଲିଦେଲି । ଶେଷରେ ସେ କହିଲା “ସାର୍ଟ ଖୋଲ”। ମୁ ଯେତେବେଳେ ସାର୍ଟ ଖୋଲିଲି ସେ ହଠାତ ପଚାରିଲା “ଏ ମାଡ଼ !” “କଣ ହେଇଛି କହ ?” ତାପରେ ମୁ ଆମୂଳଚୂଳ ସବୁ ବଖାଣିବାରେ ଲାଗିଲି । ସେ କହୁଥାଏ “ଏମିତି ସବୁ ବାଡାନ୍ତି ପିଲାଙ୍କୁ ? ମୋ ପୁଅର ପିଠି ଆଉ କିଛି ନାହି “। ମୋ ବାପା କିନ୍ତୁ ଅଲଗା । ସାର ଙ୍କୁ କହିଥାନ୍ତି ପୁଅ ଯଦି ଦୁଷ୍ଟ ହୁଏ ତା ହେଲେ ଯେତେ ପାରିବେ ସେତେ ବାଡେଇବେ ମୋର କିଛି କହିବାର ନାହି । ବେଦଜ୍ଞ ବ୍ରହ୍ମା ଙ୍କ ଠାରୁ ବର ପାଇଲା ପରେ ବର ପାଇଥିବା ବ୍ୟକ୍ତି ଯେଉଭଳି ବ୍ୟବହାର କରନ୍ତି ବାଡେଇବାର ସୁଯୋଗ ପାଇଲେ ସାର ମାନେ ମଧ୍ୟ ସେହି ଭଳି ବ୍ୟବହାର କରନ୍ତି । ବାଡେଇବାର ସୁଯୋଗଟା କିଏ ବା ହାତ ଛଡା କରନ୍ତା କାହିଁକି ? ରାତିରେ ସୋରିଷ ତେଲ ଗରମ କରି ବୋଉ ମୋ ପିଠିରେ ଘଷିଲାପରେ ମୁ ଯାଇ ଶୋଇଲି ।
ଆଜିର ସମୟ (ଏକବିଂଶ ଶତାବ୍ଦୀ ) ଓ ଆମର ସମୟ (ବିଂଶ ଶତାବ୍ଦୀ ) ଭିତରେ ଆକାଶ ପାତାଳ ଫରକ । ଆମେ ଆମର ଶିକ୍ଷକଙ୍କ ମାଡ କୁ ଭଗବାନଙ୍କ ଆଶୀର୍ବାଦ ବୋଲି ଭାବୁଥିଲୁ ଏବଂ ସେହି ଅନୁସାରେ ଆମେ ଆମର ପାଠପଢା, ଚାଲି ଚଲନ ସବୁଥିରେ ପରିବର୍ତ୍ତନ ଆଣୁଥିଲୁ । କିନ୍ତୁ ଆଜିର ସମୟ ସମ୍ପୂର୍ଣ ଭିନ୍ନ । ଏବେ ବିଦ୍ୟାଳୟ ଏକ ଦଣ୍ଡ ମୁକ୍ତ ଅଞ୍ଚଳରେ ପରିଣତ ହୋଇଛି । ଏଠି ବାଡେଇବା ତ ଦୂରର କଥା ଟାଣ କରି କଥାପଦେ କହିଲେ ମଧ୍ୟ ତାହା ଏକ ଅପରାଧ ଏବଂ ତା ପାଇଁ ଶିକ୍ଷକ ମାନେ ଦଣ୍ଡିତ ମଧ୍ୟ ହୋଇପାରନ୍ତି । ଆତ୍ମଚିନ୍ତନ କାଲେ ଏହା ଜଣାପଡ଼େ ଯଦି କୌଣସି ଶିକ୍ଷକର ଚାକିରି ଆମର ଛୁଆକୁ ବାଡେଇବା ଦ୍ଵାରା ଅନିଶ୍ଚିତତା ଭିତରକୁ ଠେଲି ହେଇ ଯାଉଛି ତାହେଲେ ସେ ଆମ ଛୁଆକୁ ବାଡେଇବେ ବା କାହିଁକି । ବାଡେଇବା ତ ଦୂରର କଥା ଟାଣ କରି କଥା ପଦେ କହିବେ ବା କାହିଁକି । ଆମ ଛୁଆ ପଢନ୍ତୁ ବା ନ ପଢନ୍ତୁ ସେଥିରେ ତାଙ୍କର ଯାଏ ଆସେ ବା କଣ ଅଛି । ତାହାର ପରିଣାମ ସ୍ୱରୂପ ଆଜି ସମାଜରେ ହତ୍ୟା , ଲୁଣ୍ଠନ , ଗଣଦୁଷ୍କର୍ମ ଓ ବଳାତ୍କାର ରୂପୀ ସାମାଜିକ ବ୍ୟାଧି ସବୁ ବଢିବାରେ ଲାଗିଲାଣି । କଥାରେ ଅଛି “ତୁଲସୀ ଦୁଇ ପତ୍ରରୁ ବାସେ ଓ ବିଛୁଆତି ଦୁଇ ପତ୍ରରୁ କୁଣ୍ଡେଇ ହୁଏ “। ଆହୁରି ମଧ୍ୟ ଜାତିର ପିତା ମହାତ୍ମା ଗାନ୍ଧୀ କହିଛନ୍ତି ଯେ ସ୍ବାଧିନତାଟା ସ୍ଵେଚ୍ଛାଚାରିତାରେ ପରିଣତ ନହେଇଯାଉ । ଯେଉଠି ଆମର ଶୈଶବ ଓ କୈଶୋର ଏତେ ଦୟନୀୟ ହିସାବରେ ବିତୁଛି ସେଠି ଆମେ ସୁନ୍ଦର ଓ ସମୃଦ୍ଧ ସମାଜର ପରିକଳ୍ପନା କରିବା ଆକାଶ କଇଁଆ ଓ ଚିଲିକା ମାଛ ସଦୃଶ । ବହୁ ସମୟରେ ମାଡ଼ ଖାଇଥିବା ଛାତ୍ରଛାତ୍ରୀ ମାନଙ୍କର ପିତାମାତା ବିଦ୍ୟାଳୟକୁ ଆସି ସେ ଶିକ୍ଷକଙ୍କ ଚଉଦ ପୁରୁଷ ଉଦ୍ଧାର କରି ଦେଉଛନ୍ତି ଯାହାର ଫଳ ସ୍ୱରୂପ ଆମେ ଆଜି ଗୋଟେ ବିଶୃଙ୍ଖଳ ପରିବେଶରେ ସମୟ ଅତିବାହିତ କରିବାକୁ ବାଧ୍ୟ ହେଉଛୁ । ଏଠି କେହି ଦୋଷୀ ନୁହନ୍ତି ନା ସେ ଶିକ୍ଷକ , ନା ଛାତ୍ରଛାତ୍ରୀ, ନା ତାଙ୍କ ପିତାମାତା । ଏଠି ଦୋଷ ତ ସମୟର । ସମୟ ବଦଳି ଯାଇଛି । କଳାପଟା ଜାଗାରେ ପିଲାମାନେ ଆଭାଷିରେ ପାଠ ପଢୁଛନ୍ତି ଏବଂ ଶିକ୍ଷକ ମାନଙ୍କର ଚକ ଖଡିର ବିକଳ୍ପ ସାଜିଛି ଶକ୍ତିବିନ୍ଦୁ । ଏବେ ଆତ୍ମଚିନ୍ତନର ସମୟ ଆସିଛି । ଆମେ ନିଜକୁ ନିଜେ ସଜାଡିବା ନା ସମୟର କରାଳ ଚକ୍ରରେ ନିଜ ସହିତ ନିଜ ଭବିଷ୍ୟତକୁ ଅମା ଅନ୍ଧକାର ଭିତରକୁ ଠେଲି ଦେବା ତାହା ଆମ ଉପରେ ନିର୍ଭର କରେ । ବିଚାର ଆପଣମାନଙ୍କ ହାତରେ । ଆଶାକରେ ଆପଣମାନେ ଏହା ଉପରେ ନିଶ୍ଚିତ ବିଚାର କରିବେ । ଧନ୍ୟବାଦ ।