ସମସ୍ତଙ୍କୁ ହୁଏତ ଟିକିଏ ଅଡୁଆ ଲାଗୁଥିବ ଯେ ଏମିତି ଏକ ଅଣ ଓଡ଼ିଆ ଶବ୍ଦରେ ଲେଖାଟିଏ ଆରମ୍ଭ କାହିଁକି ? ଶବ୍ଦଟିର ଭାଷା ପ୍ରତି ଧ୍ୟାନ ନ ଦେଇ ତା’ର ଭାବ ଗ୍ରହଣ କରିବା ହେଉ । ଆପଣ ମାନେ ତାକୁ ମହବତ, ପ୍ୟାର, ପ୍ରେମ, ଭଲପାଇବା, ମୋହାଗ୍ରସ୍ତ ହେବ କିଛି ବି କହିପାରନ୍ତି । ତେବେ କଥାଟି ହେଲା;
“ମହବତ କଲ ତୁମେ,
ବଦନାମ ହେଲି ମୁଁ”
“ମହବତ” ସହିତ “ବଦନାମ” ସବୁବେଳେ ଲାଗିକି ଥାଏ । ସମ୍ଭାଳି ଗଲେ ଭଲ, ଅସମ୍ଭାଳ ହେଲେ ବଦନାମ ହେବା ଥୟ । ତେବେ ଇଏ କି କଥା ? ଜଣେ ମହବତ କଲା, ବଦନାମ ଆଉ କିଏ ହେଲା ! ଆଜ୍ଞା ହଁ ।
କଥୋପକଥନ ଏକଡାଳ ଗାଁ ଓ ଜନସାଧାରଣ ତଥା ଗ୍ରାମବାସୀଙ୍କ ମଧ୍ୟରେ ହେଉଅଛି । ଏକଡାଳ ଗାଁ ତା’ର ଗ୍ରାମବାସୀ ମାନଙ୍କୁ କହୁଛି ମହବତ କଲ ତମେ କିନ୍ତୁ ବଦନାମ କଲ ମତେ । ମୋ ପାଖରେ ଅନେକ ଗୋଚର ଭୂମି ଥିଲା । ଏବେ ବି ଅଛି କିନ୍ତୁ ତୁମ ମହବତ ପାଇଁ କଳେବର କିଛିଟା କମିଚି ହେଲେ ଚରିବା ପାଇଁ ଗାଈ ନାହାଁନ୍ତି । ସକାଳେ, ସନ୍ଧ୍ୟାରେ ଯେତେବେଳେ ଗାଈମାଳ ଯା’ ଆସ କରନ୍ତି ଏକ ମନମୋହକ ଦୃଶ୍ୟ ସୃଷ୍ଟି ହୁଏ । ସନ୍ଧ୍ୟାବେଳେ ଗାଈମାନେ ଗାଁ କୁ ଫେରିବାର ଦୃଶ୍ୟ ଅବର୍ଣ୍ଣନୀୟ । ଗୋବର, ଗୋମୁତ୍ର ତୁମକୁ ଗନ୍ଧେଇଲା, ଏମିତି ଘରମାନ କଲ ଯେ ଗୁହାଳ ରହିଲାନି, ଗାଡି ଗ୍ଯାରେଜ କିନ୍ତୁ ନିଶ୍ଚୟ ରହିଲା । ଯାନବାହାନ ସହ ମହବତ କରି ଗୁହାଳ ବୁଡେଇଲ ଆଉ କ୍ଷୀର ଦହି ତ ଓମ୍ଫେଡ ରୁ ମିଳୁଛି ଗାଈ ବାଛୁରି ଧନ୍ଦା କରିବ କିଏ ? ଦିଅ ବିକିଦିଅ ।
ମୋ ଅମ୍ବତୋଟା ବହୁତ ବିଶାଳ । ସମୟ ଥିଲା ସୂର୍ଯ୍ୟକିରଣ ତଳେ ପଡୁନଥିଲା । ଏବେ ସବୁ ଫାଙ୍କା । କିଛି ଗଛ ମରିଗଲା (ଉପୁଡିଗଲା) ଆଉ କିଛି କୁ ମାରିଦିଆଗଲା । ଯେଉଁଠାରୁ ଗଛ ଖାଲି ହେଲା ସେଠାରୁ ଆଉ ନୂଆ ଗଛ ଆସିଲା ନାହିଁ । ନାଁ ଟା ସିନା ଆମ୍ବ ତୋଟା ହେଲେ ସେଥିରେ ଆମ୍ବ ପଣସ ଜାମୁ ଆଦି ଏମିତି ବହୁତ ପ୍ରକାର ସୁସ୍ଵାଦୁ ଫଳ ଗଛ ଥିଲା । ଏବେ କିଛି ଆମ୍ବ ଗଛ ଆଉ ବାଉଁଶ ବଣ ଛଡା ଆଉ କିଛି ନାହିଁ । ମହବତ କଲ ମୋହାଗ୍ରସ୍ତ ହୋଇ ଖଣ୍ଡେ ଖଣ୍ଡେ ଜାଗା ଆଦରି ନେଲ, ଘର ବି କରିଦେଲ । ସତେ ଯେମିତି ପଟ୍ଟା ପାଉତି ଥିବା ଘର ଡିହ । ବାଉତୀ ବିଦ୍ୟାପୀଠ ର ପ୍ରତିଷ୍ଠାତା ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ବଳରାମ ପଣ୍ଡା ମହୋଦୟ କିଛି ବୃକ୍ଷରୋପଣ କରିଥିଲେ ଯାହାକୁ ସମସ୍ତେ ଗଜାତୋଟା କହନ୍ତି । ଏହା ବ୍ଯତୀତ କେହି କହିପାରିବେ କେବେ ଚାରାଟିଏ ବି ଲଗାଯାଇଛି ?
ଜନସାଧାରଣ ଙ୍କ ଆଉ ଏକ ମହବତ ର ଫଳ ହେଉଛି ଜରାଜୀର୍ଣ୍ଣ ମହାନଦୀ । ନଦୀରେ ଏତେ ପାଣି ଥିଲା ଯେ ନଦୀକୂଳ ଖାଇଯିବ ବୋଲି ୫ ଟି ବୁରୁଜ ଥିଲା । ପାଣିସ୍ରୋତ କୁ ଅଟକାଉଥିଲା । ନଦୀ ଗଣ୍ଡରେ ଏତେ ପାଣି ଥିଲା ଯେ ଖରାଦିନେ ବି କାତ ପାଏନି । ମୁରାରିପୂର ଓ ସିଧାମୂଳା ଲୋକେ ଗାଧୋଇବା ପାଇଁ ବାଲିରେ ଚାଲିଚାଲି ଯାଉଥିଲେ କିନ୍ତୁ ମୋ ଗ୍ରାମବାସୀଙ୍କୁ ସେମିତି ଅସୁବିଧା ହେଉନଥିଲା । ମଣିଷ ମହବତ କଲା, ନଦୀରେ ବ୍ରିଜ ହେଲା, ମୁଣ୍ଡଳି ଠାରେ ବନ୍ଧ କରାଗଲା, ଛତିଶଗଡ ପାଣି ଛାଡିଲାନି ଫଳସ୍ୱରୂପ ଗାଧୋଇ ଯିବା ପାଇଁ ନଦୀ ବାଲିରେ ଚାଲି ଚାଲି ନୟାନ୍ତ ।
ସମସ୍ତେ କହୁଛନ୍ତି ପ୍ରକୃତି ପରିବର୍ତ୍ତନ ହେଇଯାଉଛି । ଇଂରାଜୀରେ କହୁଛନ୍ତି “Global Warming” ବଢିଯାଇଛି । ସୂର୍ଯ୍ୟ, ଚନ୍ଦ୍ର, ପୃଥିବୀ, ଗ୍ରହ, ନକ୍ଷତ୍ର ଯିଏ ଯେଉଁଠି ଥିବା କଥା ସେଇଠି ତ ଅଛନ୍ତି ତେବେ ଏ ସବୁ କାହିଁକି ହେଉଛି ? ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟରେ ତ ଦୂରତା କମିଯାଇନି ଯେ ଉତ୍ତାପ ବଢିଯିବ । ଖରାଦିନେ ଖଣ୍ଡେ ବିଞ୍ଚଣା ହେଲେ ଢେ’ରେ । ଚାଞ୍ଚ ଟିଏ ଧରି ଦି’ପ୍ରହରେ ଆମ୍ବତୋଟାକୁ ଚାଲ । କି ଶୀତଳ ପବନ, ଭାରି ଶାନ୍ତି । ଏବେ ଘରେ ଘରେ ଫ୍ୟାନ, କୁଲର, ଏସି ଥାଇ ବି ଗରମରୁ ତ୍ରାହି ନାହିଁ । କେମିତି ହ’ନ୍ତା ? ସମସ୍ତଙ୍କର ଚାଳ ଘର ଥିଲା । ମାଟି ସଡକ ଥିଲା । ସୂର୍ଯ୍ୟକିରଣ ପ୍ରତିଫଳନ ବା Reflection ହେଉ ନଥିଲା । ପେଟ୍ରୋଲ, ଡିଜେଲ, ଚାଳିତ ଯାନବାହାନ କମ ଥିଲା ବା ନଥିଲା । ବାୟୁ ପ୍ରଦୂଷଣ ହେଉ ନଥିଲା । କୋଠାଘର, ସିମେଣ୍ଟ କଂକ୍ରିଟ ର ସଡକ କଲ । ଘରେ ଘରେ ୨/୪ ଟା ଯାନବାହାନ ରଖିଲ । ବାୟୁମଣ୍ଡଳ କୁ ଉତ୍ତପ୍ତ ଓ ପ୍ରଦୂଷିତ କଲ । ଏସବୁ ତୁମ ମହବତ ର ଫଳ । ଜଳବାୟୁ ପରିବର୍ତ୍ତନ ହେଉଛି ନାଁ ତାକୁ କରାଯାଉଛି ?
ମୋ’ର ଆଉ ଏକ ବଦନାମ ହେଲା ତିନି ଚତୁର୍ଥାଂଶ ଜମି ଆଜି ପଡିଆ ପଡିଛି । ଚାଷ ପ୍ରତି ବିମୁଖ । ଦୋରୁଅ ଆଖୁ ଆଉ ନାହିଁ । ମାଣ୍ଡିଆ ଚଢା ଦରରେ ବଜାରରୁ କିଣି ଗ୍ୟାଷ୍ଟ୍ରିକ, ଡାଇବେଟିସ ରୋଗ ପାଇଁ ବ୍ୟବହାର କରୁଛନ୍ତି କିନ୍ତୁ ଚାଷ କରାଯାଉନି ।
ମହବତ କର ମନାନାହିଁ କିନ୍ତୁ ଯେପରି ତା’ର ପାର୍ଶ୍ଵପ୍ରତିକ୍ରିୟା ନହେବ ବା ହେଲେ ବହୁତ କମ ସେଥିପାଇଁ ସଜାଗ ରହିଲେ ଭଲ । ପ୍ରତିକ୍ରିୟା ର ପ୍ରତିକାର କଲେ କିଛି ଅସୁବିଧା ହେବନି । ମହାନ କବି ସଚ୍ଚି ରାଉତରାୟ ଙ୍କର କାଳଜଯୀ ପଦ୍ୟରୁ ପଦେ;
ଛୋଟ ମୋର ଗାଁ ଟି
ଭୂଗୋଳ ପୋଥି ପତରେ ପଛେ ନଥାଉ ତା’ର ନାନ ଟି ।
ମାଟିର ସେଇ ସରଗ ମୋର, ସେଇଠି ଅଛି ମୋ ଷଠି ଘର
ଜଳିବ ପୁଣି ସେଇଠି ଶେଷେ, ମୋହରି ଚିତା ନିଆଁ ଟି ।।
ତାହାରି ଲତା ତାହାରି ବଣ, ତା ଗାଈ ଗୋଠ ମୁରଲୀ ସ୍ଵନ
ଫସଲ କଟା ମଧୁର ଗାନ, ସକଳ ମୋର ସାହା ଟି ।।