ପଚାଶ ବସନ୍ତ କାଳସ୍ରୋତେ ଅନ୍ତ
ମା ବାଉତୀ ବିଦ୍ୟାପୀଠ,
ଉଭା ହୋଇ ଶୋଭା ଦିଶେ ମନଲୋଭା
ଅତୀତ ଗାତ୍ର କନିଷ୍ଠ (୧)
ଉଣେଇଶ ପଞ୍ଚ – ସ୍ତରୀ ମସିହାରେ
ଭିନ୍ନ ଥିଲା ଏହା ରୂପ
ଚୂତବନ ଘନ ସରୀସୃପ ପୂର୍ଣ୍ଣ
ଗୁଳ୍ମ କଣ୍ଟକିତ ସ୍ତୂପ (୨)
ନିସ୍ଵ ଗ୍ରାମବାସୀ ନିରକ୍ଷର ବେଶୀ
ଗ୍ରାମ ପ୍ରଭୂତ ଦୁର୍ଗମ
ଶିକ୍ଷା ସ୍ୱାସ୍ଥ୍ୟ ଜଳ କ୍ଷୁଧାର ଅନଳ
ଦୁର୍ଦ୍ଦଶା ପୁଞ୍ଜିତ ମର୍ମ (୩)
ଗ୍ରାମର କେଦାର ମରୁ ଭରାଭର
ପ୍ରଗତି ଗ୍ରାମର ବାମ
ଅଭାବ କଷଣ ଘାତ ଅନୁକ୍ଷଣ
ଭୀଷଣ ଦୁର୍ଦ୍ଦିନ ଗ୍ରାମ (୪)
ବୁଦ୍ଧିଜୀବୀ ଗଣ ସଭା ଆୟୋଜନ
ଶିକ୍ଷା କଥା ଆଲୋଚନ
ସ୍ଵର୍ଗତ ନମସ୍ୟ ବଳରାମ ପଣ୍ଡା
ସଭା ପ୍ରଧାନ ମଣ୍ଡନ (୫)
ସଭା ସହମତି ହୋଇଲା ନିଷ୍ପତ୍ତି
ହେବ ଉଚ୍ଚ ବିଦ୍ୟାଳୟ
ଏ ଗ୍ରାମ ଦେବତୀ ଇଷ୍ଟ ମା ବାଉତୀ
ନାମେ ଗଠନ ନିର୍ଣ୍ଣୟ (୬)
ଊଣା ହେତୁ ବିତ୍ତ ଶିକ୍ଷାରୁ ବଞ୍ଚିତ
ହେବେ ନାହିଁ ଛାତ୍ରଛାତ୍ରୀ
ଶିକ୍ଷାର ପ୍ରଗତି ଗ୍ରାମର ଉନ୍ନତି
ବଢିବ ପ୍ରଭୂତ ଖ୍ଯାତି (୭)
କାଳସ୍ରୋତେ ଲୀନ ସେ ଅଭୂଲା ଦିନ
ସ୍ମୃତି କିନ୍ତୁ ଉଜ୍ଜୀବିତ
ସୁରମ୍ୟ ପ୍ରାସାଦ ଦେଉଛି ଆହ୍ଲାଦ
ବ୍ୟଥା କଥା ତ ଅତୀତ (୮)
ପ୍ରତିକୂଳ ବିତ୍ତ ଅତୀବ ସଙ୍ଘାତ
ଦୃଢ ବୁଦ୍ଧିଜୀବୀ ଗଣ
ଅତି କଣ୍ଟକିତ ସ୍ଥାନେ ଉପସ୍ଥିତ
ଭୂମି କଲେ ନିରୂପଣ (୯)
ଜନ ଜୟଧ୍ଵନି କମ୍ପନ ଅବନୀ
ଗ୍ରାମ ଇଷ୍ଟ ଉପକଣ୍ଠ
ଗ୍ରାମବାସୀ ମେଳ ନିର୍ମାଣିଲେ ଚାଳ
ତିଳେ ମାତ୍ର ନୁହଁ ମଠ (୧୦)
ଛାତ୍ରଛାତ୍ରୀ ଗଣ କଲେ ଅଧ୍ୟୟନ
ନିଯୁକ୍ତ ହେଲେ ଶିକ୍ଷକ
ସଂକଳ୍ପ ସ୍ବପନ ସକଳ ସଂପୂର୍ଣ୍ଣ
ଲଗନ ଅତି ପୁଲକ (୧୧)
ଧିର ଧିର ଗତି ବଢିଲା ପ୍ରଗତି
ମୁକସାକ୍ଷୀ ବିଦ୍ୟାଳୟ
ଗଢିଥିଲେ ଯେତେ ନାହାଁନ୍ତି ମରତେ
ସର୍ବେ ଆଜି ସ୍ଵର୍ଗାଳୟ (୧୨)
ସମସ୍ତ ମହାନ ବିଦେହୀ ଆତ୍ମାକୁ
ଜଣାଇବା ପ୍ରଣିପାତ
ପୂଜ୍ୟ ପୂଜା ପ୍ରତି ଭକ୍ତି ଶ୍ରଦ୍ଧା ମତି
ଅଶେଷ ଆଶିଷ ପ୍ରାପ୍ତ (୧୩)
ବିଦ୍ୟାଳୟ ସ୍ଵତଃ ସର୍କାର ଆୟତ୍ତ
ଅଭାବ କଷଣ ଶେଷ
ସଂସ୍କାର ସଂସ୍କୃତି ଗୁରୁଶିଷ୍ୟ ପ୍ରୀତି
ଇତି ନୂଆ ପରିବେଶ (୧୪)
ଗ୍ରାମବାସୀ ଙ୍କର ନେତୃବୃନ୍ଦ ଙ୍କର
ଥିଲା କେତେ ଅବଦାନ
ସହି ସବୁ ଘାତ ସ୍ଵପ୍ନ କଲେ ସତ୍ୟ
କାଳ ବକ୍ଷେ ଦାନ ସ୍ନାନ (୧୫)
କାଳ ଗର୍ଭେ ଲୀନ ଅତୀବ ସେ ଦିନ
ଇତି ବୃତ୍ତେ ହୃତି ସ୍ମୃତି
ଶିକ୍ଷା ନିକେତନ ପ୍ରଶଂସା ଭାଜନ
ରମ୍ୟ ସୌଧ ଦ୍ୟୁତିଭୃତି (୧୬)
ଅଛି ବିଦ୍ୟାଳୟ ନେଲେଣି ବିଦାୟ
ଛାତ୍ରଛାତ୍ରୀ ଅଗଣନ
ଯେପରି ନିୟତି ସେହିପରି ଗତି
କର୍ମ ପଥ ପ୍ରଣୟନ (୧୭)
ନକ୍ଷତ୍ର ଅପାର ଗୋଟିଏ ଭାଷ୍କର
ଆଲୋକିତ କରେ ବିଶ୍ଵ
ଛାତ୍ରଛାତ୍ରୀ ଗଣ ମଧ୍ୟେ କେତେଜଣ
ଶ୍ରେଷ୍ଠ କୃତୀ ଶିଷ୍ୟାଶିଷ୍ୟ (୧୮)
ବିଦ୍ୟାଳୟ ପ୍ରତି ଭୁତ ଛାତ୍ରଛାତ୍ରୀ
ଦେବେ ଯେବେ ଟିକେ ଚିତ୍ତ
ସମାସ୍ୟା ସକଳ ଟଳିବ ଚଞ୍ଚଳ
ହେବ ବିଦ୍ୟାପୀଠ ହିତ (୧୯)
ପ୍ରଭୁ ରମାପତି ଜନନୀ ବାଉତୀ
ଅଶେଷ ଆଶିଷ ବାସ
ମହୋତ୍ସବ କାର୍ଯ୍ୟ ସମାପନ ଧାର୍ଯ୍ୟ
ଶୁଭେ ପ୍ରିୟଦର୍ଶୀ ଆଶ (୨୦)