ନିଶବ୍ଦ ଅନ୍ଧାର ରାତିକୁ ମାଗିଲି, ଆଲୋକରେ ଭରା ଜହ୍ନଟିଏ
ମୃଦୁ ପବନର ଆଲିଙ୍ଗନ ସାଥେ, ଶାନ୍ତ ଶୀତଳ ମନଟିଏ
କହିଲା ରାତି, ମୋ ପାଖେ ବସି
ମତେ କି ଭାବିଲୁ ପରି ରାଇଜର ପରିଟିଏ —- (୧)
ବର୍ଷାକୁ କହିଲି ଭିଜେଇଦେ ମତେ, ତୋର ସେ ଶୀତଳ ଜଳରେ
ହଜେଇଦେ ମତେ ନେଇ ତୋ କୋଳକୁ, ଟିପି ଟିପି ଜଳବୁନ୍ଦାରେ
କହିଲା ବର୍ଷା, କରିକି ଇର୍ଷା
ଅଭିମାନିନୀ ମୁଁ ରୁହେ ନାହିଁ କାହା ପାଖରେ —- (୨)
ସମୟର ସାଥେ ବାଟ ଚାଲୁଚାଲୁ, ମାଗିଲି ବିସ୍ରାମ ରାସ୍ତାରେ
ଥକା ମନଟାକୁ କେତେବା ବୋହିବି, ଅଣନିଃଶ୍ବାସୀ ମୁଁ କ୍ଳାନ୍ତି ରେ
କହେ ସମୟ, ଦେଖାଇ ଭୟ
ଜୀବନର ପଥେ ନଥାଏ ବିରତି ସାଥିରେ —- (୩)