BAUTI BIDYAPITHA STUDENT ASSOCIATION, EKADAL, NARASINGHPUR, CUTTACK

ଅନ୍ତର୍ଦହନ

ଅନ୍ତର୍ଦହନ

କାଳବୈଶାଖୀର ଅଶାନ୍ତ ତାଡନାରେ ଆଜି ରସାଳ ଦ୍ରୁମ ତଳିତଳାନ୍ତ । ସବୁଜ ଗାଲିଚା ଉପରେ ଶୁଖିଲା ପତ୍ରର ଶେଯ ପରି ଶୋଇ ଯାଇଛି ଆଜି ସେଇ ଅର୍ଦ୍ଧ ଦଗ୍ଧ ବୃକ୍ଷରାଜି । ଦୂର ଦିଗବଳୟ ରୁ ଲହରେଇ ଆସୁଛି ପ୍ରଚଣ୍ଡ ଉତ୍ତପ୍ତ ରବିକିରଣ । ଜାଳି ପୋଡ଼ି ଛାରଖାର କରିଦେବ । ହୃଦୟ ର କେଉଁ ଏକ ଅନୁକୋଣ ରୁ ଝରି ଆସୁଛି କଳି ର ଭୟଙ୍କର ତାଡନା ।

            ଏ ଜୀବନ ପାହୁଣ୍ଡ ଯେତିକି ଆଗେଇ ଚାଲିଛି ସେତିକି ପଛରେ ପଡୁଛି । କାହିଁକି ? ତା’ର ଉତ୍ତର କିଏ ଦେବ ? ତୁମେ ମାନେ ନା ମୁଁ ? ନା … । ମୁଁ ର ଶବ୍ଦ ହେଉଛି ଆଜି ଦୁନିଆଁ ର ମୁଖ୍ୟ ତାଡନା । “ମ” ଅକ୍ଷର ଧ୍ଵଂସ ହୋଇଗଲେ ଭଲ ହୁଅନ୍ତା । ମୁଁ, ମୋର, ମୋହ, ମାୟା, ମଦିରା, ମାଶ୍ଚର୍ଯ୍ୟ, ମୋହିନୀ, ମନ୍ତ୍ର, ମଜା । ଛି, ଛି ଏଗୁଡାକ । ଏଇମାନେ ହିଁ, ସେଇ ବିଶାଳ ବୃକ୍ଷ କୁ ଜରାଜୀର୍ଣ୍ଣ କରିଛନ୍ତି ।

            ରାମାୟଣର ରାବଣ ଆଉ ମହାଭାରତ ର ଦୁର୍ଯୋଧନ ଆଜି ବି ଛପି ଛପି ବୁଲୁଛନ୍ତି ଜନ ସମାରୋହରେ । ଦୁର୍ବଳ କରୁଛନ୍ତି ମନୁଷ୍ୟ ଜୀବନର ପୂଣ୍ୟ, ପୂଜା, ସ୍ନେହ, ଆଦର, ପ୍ରେମ, ଆବିଳତା ଓ ନୈତିକତା ର ମାନଦଣ୍ଡକୁ । ମଜ୍ବୁତ ହୋଇ ଦଣ୍ଡାୟମାନ ନିର୍ମାୟା ବୃକ୍ଷକୁ ତଳିତଳାନ୍ତ କରିଛନ୍ତି ଏହିମାନେ ।

            ମୋ ଗାଁ ସେତେବେଳର ଆଉ ନାହିଁ । ତାର ଚେହେରାରେ ଆଉ ସେ ସୌନ୍ଦର୍ଯ୍ୟତା ନାହିଁ । ତାର ସ୍ନେହ, ଆଦର, ମମତା, ଆକର୍ଷଣ କେଉଁ ଦୂର ଦିଗବଳୟ ଆଡକୁ ଚାଲିଯାଇଛି, ଦୃଶ୍ୟମାନ ପରିଧି ବାହାରକୁ । କଣ ଫେରିଆସିବ ? ଖୋଜିବାକୁ ଇଛା ହୁଏ ସେହି ଗହିର ମଥାରେ ବାଲି ଚଢେଇ ର ଗାତ, ହଳଦିବସନ୍ତର ଗଛ ଡାଳରେ ନାଚ, କୁମ୍ଭାଟୁଆ ର କୁ କୁ ଶବ୍ଦ, କୋଇଲି ର କୁହୁ କୁହୁ ନାଦ, ଧୋବାସାହି ବାଇଚଢେଇ ବସା, ନଦୀ ଝରଣାରେ ମାଟି ବୋଳା, ମାଛଧରା, ବୋହୁଚୋରି ଖେଳ, ସ୍କୁଲ ବାରଣ୍ଡାର ଭୋଜି । ଓଃ କି ସରଳ ଓ ଶାନ୍ତ ଜୀବନ !! ଆଜି ତ ଲୋଭ, ହିଂସା, ବର୍ବରତା ର ଚକଟ ମନ୍ଥନ ଚାଲିଛି । ନା’ ଆଉ ଫେରିବନି ସେ ସଦଭାବ । ମରୁଭୂମିର ମରୀଚିକା ଭଳି ସବୁ ଦୂରେଇ ଦୂରେଇ ଯାଉଛି । ଧରିବାର ଚେଷ୍ଟା ଓ ଅସଫଳତା ହୃଦୟକୁ ଅନ୍ତର୍ଦହନ କରୁଛି । ବେଳେବେଳେ ଭାବେ ଏହି ମହାବାତ୍ୟା, ହୁଡୁହୁଡୁ, ଫନି ଓ କୋଭିଡ଼ ଭଳି ବ୍ରହ୍ମାସ୍ତ୍ର ଆସୁଛି କି ଏଇ କାରଣକୁ ଧ୍ଵଂସ କରିବାକୁ । ସେଇ ସବୁଜ ଭବିଷ୍ୟତ କୁ ଛଡାଇ ଆଣିବାକୁ । ସେଇ ରାବଣର ଗର୍ବ ଓ ଦୁର୍ଯୋଧନ ର ମାନ ଆଉ ଅଭିମାନ କୁ ଚୁରଚୁର କରିବାକୁ । ନା’ ପାରିବେନି । ମା’ ମା……… ମୋ ବାଉତୀ ମା, ତୋର ଛତ୍ରଛାୟା ହିଁ ପାରିବ । ମୋ ଗାଁ କୁ ତଥା ଏଇ ଦୁନିଆଁ କୁ “ମା ବାଉତୀ ତୁ ହିଁ ଭରଷା” ****

Leave a Comment

Your email address will not be published. Required fields are marked *

Scroll to Top