BAUTI BIDYAPITHA STUDENT ASSOCIATION, EKADAL, NARASINGHPUR, CUTTACK

ଅନାଢ୍ୟ ରୁ ଅନିନ୍ଦ୍ୟ – ‘ଏକଡାଳ’

ଅନାଢ୍ୟ ରୁ ଅନିନ୍ଦ୍ୟ – ‘ଏକଡାଳ’

ଅତୀତର ଏକ ନିର୍ଦ୍ଧିଷ୍ଟ କାଳଖଣ୍ଡରେ କୌଣସି କ୍ଷେତ୍ରର ଘଟଣାବଳୀକୁ ଇତିହାସ କୁହାଯାଏ I ଇତିହାସ ଅଧ୍ୟୟନ ଦ୍ୱାରା ଆମ ଜୀବନ ଶୈଳୀ, ଶିକ୍ଷା, ସମାଜ, ସଂସ୍କୃତ, ଆଧ୍ୟାତ୍ମିକ ଚେତନାର ଉତ୍ଥାନ ପତନ ଦିଗକୁ ଅନୁଶୀଳନ କରିବା ଏବଂ ତହିଁରୁ ଲବ୍ଧ ଜ୍ଞାନକୁ ପୂର୍ବପିଢିଙ୍କ ପ୍ରତି ସମ୍ମାନ ଓ ସମବେଦନା ଜ୍ଞାପନ ସହ ଉତ୍ତର ପିଢିଙ୍କୁ ସଚେତନ କରି ପ୍ରଗତି ପାଇଁ ପ୍ରେରଣା ପ୍ରଦାନ କରିବା ମୁଖ୍ୟ ଉଦ୍ଦେଶ୍ୟ I ଐତିହାସିକ ଗଣ ଇତିହାସକୁ ଦୁଇ ଭାଗରେ ବିଭକ୍ତ କରିଥାନ୍ତି I ୧ – ପ୍ରକୃତ ଇତିହାସ, ୨ – ଯଥାର୍ଥ ଇତିହାସ I ପ୍ରକୃତ ଇତିହାସ ହେଉଛି କୌଣସି ଅଂଚଳର ଏକ ନିର୍ଧାରିତ କଳାଖଣ୍ଡର ବାସ୍ତବ ବିବରଣୀ I ଯଥାର୍ଥ ଇତିହାସ ହେଉଛି ସେହି ନିର୍ଦ୍ଧିଷ୍ଟ କଳାଖଣ୍ଡର ବାସ୍ତବ ବିବରଣୀ ଯାହା ପ୍ରକୃତ ଇତିହାସର ଏକ ସମସାମୟିକ ଉପସ୍ଥାପନା I ଏହା ଏକ ଯୁକ୍ତିନିଷ୍ଠ ଇତିହାସ, ଯେଉଁଠି ପ୍ରକୃତ ଇତିହାସ ଅସ୍ପଷ୍ଟ ସେଠି ଯଥାର୍ଥ ଇତିହାସକୁ ମନୁଷ୍ୟ  ନିଜର ଚିନ୍ତନ ଶକ୍ତି ଦ୍ୱାରା ବିବେକ, ଗୌରବ, କଳ୍ପନା ଓ ସମ୍ଭାବନାକୁ ପ୍ରୟୋଗ ପୂର୍ବକ ଉକ୍ତ ଘଟଣାବଳୀର କିଛି ପରିମାଣର ସତ୍ୟତାକୁ ସ୍ପଷ୍ଟ କରିଥାଏ, ଏଥିରେ ଯୁକ୍ତି (Logic) କୁ ବହୁମାତ୍ରାରେ ପ୍ରୟୋଗ କରାଯାଏ I ବେଳେବେଳେ ବହୁମତର ଯୁକ୍ତି ଯୋଗୁଁ ପ୍ରକୃତ ଇତିହାସ କିଛି ସମୟ ପାଇଁ ନିଜର ସତ୍ତା ହରାଇବସେ I

            ଗୋଟିଏ ଜାତିର ସାମାଜିକ, ସାଂସ୍କୃତିକ, ଆଧ୍ୟାତ୍ମିକ, ଅର୍ଥନୈତିକ, ରାଜନୈତିକ, ଗରିମାମୟ ଇତିହାସର ଅଧ୍ୟୟନ ଓ ବିଶ୍ଳେଷଣରେ ନିଜକୁ ଗୌରବ ମଣ୍ଡିତକରି ଏହାର ଅଭିବୃଦ୍ଧି  ନିମନ୍ତେ ନିରନ୍ତର ପ୍ରଚେଷ୍ଟା କରିବା ପ୍ରତ୍ୟେକ ଗ୍ରାମ୍ୟ ପ୍ରେମୀଙ୍କ ଆବେଗପୂର୍ଣ୍ଣ ଅଭିଳାଷ ହେବ ସର୍ବଦା ବାଞ୍ଛନୀୟ I ଯେଉଁ ପବିତ୍ର ମାଟିରେ ଆମର ଜନ୍ମ, ଯାହାର ପାଣି ପବନ, ନଦ ନଦୀର ପ୍ରାକୃତିକ ପରିବେଶରେ ଛୋଟରୁ ବଡ ହୋଇଛୁ ଏବଂ ଯେଉଁ ନାମକୁ ନେଇ ଆମେ, ବାହାର ଦୁନିଆରେ ପରିଚିତ, ସେହି ଆମର ମମତାମୟୀ ମାଟି ମା” ‘ଏକଡାଳ’ | ଏକଡାଳ ଗ୍ରାମବାସୀ ଭାବେ ଆମେ ଆଜି ଗର୍ବିତ | ପୁରୁଣା ଗାଁ ଏକଡାଳ ଆଜି ମହାନଦୀ (ଯାହାର ଅତୀତ ନାମ “ଅନୋମା”)ର ଗର୍ଭରେ ବିଲୀନ I ପୂର୍ବରେ ବଣେଶ୍ୱର ପାହାଡ, ପଶ୍ଚିମରେ ଚନ୍ଦ୍ରଗିରି ପାହାଡର ମଧ୍ୟ ଭାଗରେ ମହାନଦୀ ତଟସ୍ଥ ସବୁ ପାଟକର ଲୋକଙ୍କୁ ଗଡଜାତ ରାଜ୍ୟ ନରସିଂହପୁର ରାଜାଙ୍କ ଦ୍ୱାରା ସ୍ଥାପନ ହୋଇଥିଲା l ଦୀର୍ଘ ଏକଶତ ବର୍ଷ ଅତୀତ ଇତିହାସକୁ ଅନୁଧ୍ୟାନ କଲେ, ଏହି ଜନପଦର ସର୍ବରାକାର ଥିଲେ ଶ୍ରୀଯୁକ୍ତ ଅନନ୍ତ ରାୟଗୁରୁ ଓ ସମସାମୟିକ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିବୃନ୍ଦ ହେଲେ – ଶ୍ରୀ ଅଚ୍ୟୁତ ମନ୍ତ୍ରୀ, ଶ୍ରୀ ରାହସ କର, ଶ୍ରୀ ରଘୁ ସୁବୁଦ୍ଧି, ଶ୍ରୀ ଚୈତନ୍ୟ ନିଶଙ୍କ, ଶ୍ରୀ ଉଦୟ ସାମନ୍ତରା, ଶ୍ରୀ ଉତ୍ସବ ସୁବୁଦ୍ଧି, ଶ୍ରୀ ମଣି ଦେହୁରୀ, ଶ୍ରୀ ଅଧିକାରୀ ନିଶଙ୍କ, ଶ୍ରୀ କାଶୀନାଥ ରାଉତ, ଏବଂ ଶ୍ରୀ ମଧୁସୂଦନ ପଣ୍ଡା l  ସେତେବେଳର ଗଡଜାତ ରାଜ୍ୟଗୁଡିକ ଥିଲା ଅନ୍ଧାରୀମୂଳକ, କୁସଂସ୍କାର, ଅନ୍ଧବିଶ୍ୱାସ, ଅଶିକ୍ଷା, ଗୁଣିଗାରେଡି ଆଚ୍ଛାଦିତ ଏକ ଦରିଦ୍ର ନିପୀଡିତ, ଆତ୍ମପ୍ରତ୍ୟେୟ ହୀନ, ଦୁର୍ଦ୍ଦଶା ଗ୍ରସ୍ତ, ଲାଂଛିତ, ହିନସ୍ତା ସମାଜ l ଏଠି ରାଜା କିମ୍ବା ତାଙ୍କ ସାମନ୍ତ, ସର୍ବରାକାରଙ୍କ ହୁକୁମ ଚାଲେ l ତଦାନୀନ୍ତନ ଶିକ୍ଷା ବ୍ୟବସ୍ଥା କହିଲେ ଏକଡ଼ାଳର ପରିଚୟ ଥିଲା ଶିକ୍ଷା ଦୀକ୍ଷା ଶୁନ୍ୟ l ଲୋକମାନଙ୍କ ଜୀବିକା ତଥା ଦୈନନ୍ଦିନ ଜୀବନ ନିର୍ବାହର ମୁଖ୍ୟଉତ୍ସ ଥିଲା ଭାଗ ଚାଷ, ଗୋ ପାଳନ, ମାଛଧରା, ଦିନମଜୁରୀ, ହଳିଆ ଓ ମୁଲିଆ ଇତ୍ୟାଦି l ମାଟି ବଂଶ ଅବଧାନଙ୍କ ଦ୍ୱାରା ଚାଟଶାଳୀରେ ପନିକିଆ, ପଣ, କାହାଣର ପାଟିଗଣିତ ଓ ମଥୁରା ମଙ୍ଗଳ, ମନବୋଧ ଚଉତିଶା ଆଦି ସାହିତ୍ୟ ପଠନ ମଧ୍ୟରେ ଶିକ୍ଷା ସୀମାବଦ୍ଧ ଥିଲା l ମାତୃଭାଷା କୁ ବଙ୍ଗାଳି ଲିପି ରେ ପଢ଼ାଯାଉଥିଲା l

            ସାମାଜିକ ଚଳଣିକୁ ଲକ୍ଷ କଲେ ଜଣାଯାଏ, ଏକଡାଳ ଏକ ବଡ ମୌଜା ଥିଲା l ପ୍ରାୟତଃ ବ୍ରାହ୍ମଣ, ଚଷା, ପାଇକ, ଗୁଡିଆ, ବଢ଼େଇ, କୁମ୍ଭାର, ତେଲି, ଗୌଡ଼, ତନ୍ତି, ମାଳି, କେଉଟ, ଭଣ୍ଡାରୀ, ଧୋବା, ହାଡ଼ି, କଣ୍ଡରା, ଆଦି ଜାତିର ଲୋକମାନେ ଶାନ୍ତିପୂର୍ଣ୍ଣ ଭାବେ ଭାଇଚାରା ସମ୍ପର୍କ ନେଇ ବସବାସ କରୁଥିଲେ l ଦ୍ରାବିଡ଼ ସଂସ୍କୃତି ଦଣ୍ଡନୃତ୍ୟ ଅଧୁନା ସବୁ ସମ୍ପ୍ରଦାୟଙ୍କୁ ନେଇ ପୂଜା ଉପାସନା କରାଯାଉଥିଲେ ସୁଦ୍ଧା, ପ୍ରାରମ୍ଭରେ ଏହା କୈବର୍ତ୍ତ ସମାଜ ଦ୍ୱାରା ଆମ୍ଭ ଗ୍ରାମରେ ଆଦୃତ ହୋଇଥିଲା l ଗ୍ରାମର ପାରିବାରିକ ପର୍ବରୁ ଆରମ୍ଭକରି ସମସ୍ତ ସାମାଜିକ ପର୍ବପର୍ବାଣୀ ଗ୍ରାମ୍ୟ ସର୍ବରାକାରଙ୍କ ତତ୍ୱାବଧାନରେ ସମାହିତ ହେଉଥିଲା l କଦଳୀ ବାହୁଙ୍ଗାର ମୁଖାରେ ମାଙ୍କଡ ଡିଆଁ ଖେଳରୁ ଗ୍ରାମରେ ରାମଲୀଳା ଲୋକନୃତ୍ୟର ଅୟମାରମ୍ଭ ହୋଇଥିଲା l ସେତେବେଳର ଆଖୁଛେଦା ନିଆଁ ଆଲୁଅରେ ସନ୍ଧ୍ୟାନଇଁଲେ ରାମଲୀଳା ନୃତ୍ୟ ପୁରୁଣା ଗାଁ’  ଚଉପାଢୀରେ ପରିବେଶଣ ହେଉଥିଲା l ତତ୍କାଳୀନ ଗଣ୍ୟମାନ୍ୟ ବ୍ୟକ୍ତି ଶ୍ରୀ ଉତ୍ସବ ସୁବୁଧିଙ୍କ ପୃଷ୍ଟପୋଷକତାରେ ଓ ପରବର୍ତ୍ତୀ ସମୟରେ ତାଙ୍କର ପୁତ୍ର, ପୌତ୍ରଗଣ ପ୍ରାୟତଃ ଅଶିବର୍ଷରୁ ଉର୍ଦ୍ଧ ସମୟଧରି ଉକ୍ତ ଲୋକକଳାର ବୈଭବକୁ ଭକ୍ତିପୂର୍ଣ୍ଣ ଭାବରେ ଉତ୍ସର୍ଗୀକୃତ ମନରେ ସେବାପ୍ରଦାନ କରି ଉଜ୍ଜିବିତ କରିଥିଲେ l ରାଜା ରାଜୁଡା ସମୟରେ ଉକ୍ତ ଦଣ୍ଡନୃତ୍ୟ ଓ ରାମଲୀଳା ଲୋକ କଳାକୁ ବିଶେଷ ଗୁରୁତ୍ୱ ଦିଆଯାଉଥିଲା l କର୍ମକ୍ଳାନ୍ତ ଜୀବନରେ ଏହାଥିଲା ଆଧ୍ୟାତ୍ମିକତା ଓ ମନୋରଞ୍ଜନର ଏକ ମାଧ୍ୟମ ମାତ୍ର l ସ୍ୱାସ୍ଥ୍ୟ ଅବସ୍ଥାକୁ ଦେଖିଲେ ଶ୍ରୀ ସନାତନ ବସନ୍ତରା ଓ ଶ୍ରୀ ଦାଶରଥି ପଣ୍ଡା ଆୟୁର୍ବେଦିକ (କବିରାଜ ଚିକିତ୍ସା) ଓ ଝାଡ ଫୁଙ୍କା ଥିଲା ରୋଗୀଙ୍କର ଏକ ମାତ୍ର ସାହାରା l

            ଆଟ୍ଟୁଘର ସେତେବେଳେ ସାତସପନ ଥିଲା l ଘରର ସମ୍ପତ୍ତି କହିଲେ ଦୁଇଖଣ୍ଡ ପିନ୍ଧାଲୁଗା ଓ ବେତରେ ନିର୍ମିତ ଏକ ପେଡି ଏବଂ ଗୃହପାଳିତ ପଶୁ ଭାବରେ ଗାଈ, ବଳଦ ଓ କେତୋଟି ଛେଳି, ମେଣ୍ଢା l ପ୍ରତିବର୍ଷ ମହାନଦୀରେ ବନ୍ୟା ଆସିଲେ ଏହି ଲୁଗାପଟା ଦୁଇଖଣ୍ଡ ଓ ଗୃହପାଳିତ ପଶୁ ପକ୍ଷୀଙ୍କୁ ନେଇ ଚନ୍ଦ୍ରଗିରି ପାହାଡ଼ରେ ଆଶ୍ରୟ ନେବାକୁ ହେଉଥିଲା l ପ୍ରଜାମାନଙ୍କର ଏହି ଦୁଖଃ ଦୁର୍ଦ୍ଦଶା ଦେଖି ନରସିଂହପୁର ରାଜା ‘ଶ୍ରୀ ଶ୍ରୀ ଅନନ୍ତ ନାରାୟଣ ମାନସିଂହ ହରିଚନ୍ଦନ ମହାପାତ୍ର’ ୧୯୩୬ ମସିହାରେ ଚନ୍ଦ୍ରଗିରି ପାହାଡର ଚତୁର୍ପାଶ୍ୱରେ ପ୍ରତି ପରିବାରକୁ ୩ ଡେସିମିଲ ପରିମିତ ଘରଡିହ ଦେଇ ନୂତନ ‘ଏକଡାଳ’ ଗ୍ରାମ ସ୍ଥାପନ କରିଥିଲେ l ମହାନଦୀ କୂଳର ଗ୍ରାମଗୁଡିକୁ ବନ୍ୟା ଦୁର୍ବିପାକରୁ ରକ୍ଷା କରିବା ନିମନ୍ତେ ୧୯୪୨ ମସିହାରେ ଏକଡାଳ ଠାରୁ ପଦାମାଳ ଦୀର୍ଘ ୨.୩୩ କି.ମି., ୧୯୪୩ – ୪୫ ମସିହାମଧ୍ୟରେ ଏକଡାଳ ଠାରୁ ଘୋରାଡିଆ ଦୀର୍ଘ ୪.୮୮ କି.ମି. ଏବଂ ୧୯୪୦ ମସିହାରେ ମୁରାରୀପୁର ଆଡ଼ିବନ୍ଧ ଦୀର୍ଘ ୦.୧୮ କି.ମି. ବନ୍ଧକୁ ବେଠି, ବେଗାରୀ ମଧ୍ୟମରେ ନିର୍ମାଣ କରିଥିଲେ l ନରସିଂହପୁର ମହାନଦୀ କୂଳିଆ ଅଧିବାସୀମାନଙ୍କ ପ୍ରତି ରାଜସାହେବଙ୍କ ଉକ୍ତ ମାଳବନ୍ଧ ଏକ ମହାନ ଅବଦାନ ଓ କାଳଜୟୀ କୀର୍ତ୍ତି l ପୁରୁଣା ଗାଁ’ କୁ ସମ୍ପୂର୍ଣ୍ଣ ରୂପେ ତ୍ୟାଗକରି ୧୯୪୬ ମସିହାରୁ ଚନ୍ଦ୍ରଗିରି ପାହାଡର ଚତୁପାର୍ଶ୍ୱରେ ‘ନୂତନ ଏକଡାଳ’ ଗ୍ରାମଟି ପ୍ରତିଷ୍ଠାହୋଇ ଏହାର ଗ୍ରାମବାସୀମାନେ ଗ୍ରାମ ଦେବତୀ ମା’ ବାଉତୀ ଙ୍କ ଅପାର କରୁଣାରୁ ସ୍ଥାୟୀ ରୂପେ ବସବାସ କରି ଆସୁଛନ୍ତି l ଏହା ଥିଲା ପୁରୁଣା ଗାଁ’ ର ସମ୍ୟକ ବିବରଣୀ l

            ଜାତୀୟ କଂଗ୍ରେସ ର ଆହ୍ୱାନରେ ଓ ପ୍ରଜାମଣ୍ଡଳର ଆନ୍ଦୋଳନ ଯୋଗୁଁ ରାଜତନ୍ତ୍ର ଶାସନ ଲୋପକରି ଗଣତନ୍ତ୍ର ସରକାର ପ୍ରତିଷ୍ଠା ପାଇଁ ଓଡିଶା ସରକାରଙ୍କ ତରଫରୁ ଶ୍ରୀ ହରେକୃଷ୍ଣ ମହତାବ ଓ ଭାରତ ସରକାରଙ୍କ ଗୃହମନ୍ତ୍ରୀ ଶ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଓ ତାଙ୍କର ସଚିବ ଶ୍ରୀ ଭି.ପି. ମେନନଙ୍କ ସହିତ ତା ୧୪/୧୨/୧୯୪୭ ରିଖ ରେ ନରସିଂହପୁରର ଶେଷ ରାଜା ଶ୍ରୀ ଶ୍ରୀ ଅନନ୍ତ ନାରାୟଣ ମାନସିଂହ ହରିଚନ୍ଦନ ମହାପାତ୍ର ହସ୍ତାନ୍ତର ଦଲିଲରେ ସ୍ଵାକ୍ଷର କରିବା ପରେ ତା ୦୧/୦୧/୧୯୪୮ ରିଖ ରେ ଓଡିଶା ସରକାରଙ୍କ ନିଷ୍ପତି କ୍ରମେ ସମ୍ପୂର୍ଣ୍ଣ ରୂପେ ନରସିଂହପୁର କିଲାରୁ ରାଜତନ୍ତ୍ର  ଲୋପ ହୋଇଥିଲା l ତଥାପି ନବେ ଦଶକ ପର୍ଯ୍ୟନ୍ତ ରାଜତନ୍ତ୍ରର ପ୍ରଭାବ ନରସିଂହପୁର ଜନମାନସକୁ କବଳିତ କରି ରଖିଥିଲା l ଏହା ଫଳରେ ପ୍ରତ୍ୟେକ ଗାଁ’ ରେ ରାଜଦତ୍ତ ପଦାଧିକାରୀ ଯଥା – ଗ୍ରାମ୍ୟ ପ୍ରଧାନ, ସାମନ୍ତ, ସର୍ବରାକର, ଏବଂ ଜମିଦାରମାନେ ଦିନ ଦରିଦ୍ର ଅଶିକ୍ଷିତ, ଅସହାୟ, ଅବହେଳିତ ପ୍ରଜାମାନଙ୍କୁ ନାନା ବାଟରେ ଶୋଷଣ କରି ନିଜର ପ୍ରାଧାନ୍ୟକୁ ଜାହିର କରି ଆସୁଥିଲେ l

            ‘ରାମସେ ନିମ୍ନ ପ୍ରାଥମିକ ବିଦ୍ୟାଳୟ’ ରେ ପିଲାମାନଙ୍କୁ ଆଜିକାଲିର ଅଙ୍ଗନବାଡି ଶିକ୍ଷା ପରି, ବିଦ୍ୟାଳୟ ଶିକ୍ଷା ପ୍ରାରମ୍ଭରେ ଶିଶୁଶ୍ରେଣୀରେ ଗୋଟିଏ ବର୍ଷ ପଢିବାକୁ ହୁଏ l ଆମ ଗାଁ’ ରେ ମଧ୍ୟ ଶିଶୁ ଶ୍ରେଣୀରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ପୁରୁଣା ଗାଁ’ ବିଦ୍ୟାଳୟରେ ଚାଲୁ ରହିଥିଲା l ୧୯୪୬ ମସିହାରେ ‘କିଣ୍ଡର ଗ୍ରୀଟନ’ ପ୍ରଣାଳୀରେ ‘ରାମସେ ନିମ୍ନ ପ୍ରାଥମିକ ବିଦ୍ୟାଳୟ’ ଆମ ‘ଏକଡାଳ’ ଗ୍ରାମର ପଶ୍ଚିମ ପାର୍ଶ୍ୱ ମୁରାରୀପୁର ଗ୍ରାମ ସୀମାନ୍ତରେ ଯେଉଁଠାରେ ବର୍ତ୍ତମାନ ଏକ ଅଶ୍ୱସ୍ଥ ବୃକ୍ଷ ଅଛି, ତାହାରି ମୂଳରେ ବିଦ୍ୟାଳୟ ଶ୍ରେଣୀଗୃହ ନିର୍ମାଣ କରାଯାଇ ଆଧୁନିକ ରୁଚି ସମ୍ପର୍ଣ୍ଣ  ଶିକ୍ଷାଦାନ ଆରମ୍ଭ ହୋଇଥିଲା l ବର୍ତ୍ତମାନ ଉକ୍ତସ୍ଥାନଟି ମୁରାରିପୁର ଗ୍ରାମ ପରିସୀମା ଅନ୍ତର୍ଭୁକ୍ତ l ଏହି ଠାରୁ ଆରମ୍ଭ ହୋଇଥିଲା ‘ଏକଡାଳ’ ଗ୍ରାମର ନୂତନ ଯୁଗର ଅଭ୍ୟୁଦୟ l ଏହା ପୂର୍ବରୁ ଯେଉଁମାନେ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ପଢିବା ପାଇଁ ଚାହୁଁଥିଲେ, ସେମାନେ ପଞ୍ଚମ ଶ୍ରେଣୀ ଉତ୍ତୀର୍ଣ୍ଣ ହେଲେ ଆଉ ଅଧିକ ଏକବର୍ଷ ପାଇଁ “ଭର୍ଣ୍ଣାକୁଲାର” ଶ୍ରେଣୀରେ ଇଂରାଜୀ ଶିକ୍ଷାଲାଭ କରିବାକୁ ପଢୁଥିଲା l ଆଧୁନିକ ଶିକ୍ଷା ବ୍ୟବସ୍ଥାରେ ‘ଏକଡାଳ’ ଗ୍ରାମର ପ୍ରଥମ ବ୍ୟାଚର  ବିଦ୍ୟାର୍ଥୀ ଗଣ ହେଲେ – ଶ୍ରୀ ଚନ୍ଦ୍ରଶେଖର ଜେନା, ଶ୍ରୀ ବ୍ରଜବନ୍ଧୁ ରାଉତ, ଶ୍ରୀ ବଳରାମ ପଣ୍ଡା, ଶ୍ରୀ ଭ୍ରମରବାର ଦଳେଇ, ଶ୍ରୀ ବନମାଳୀ ପାଣି, ଶ୍ରୀ ପରମାନନ୍ଦ ପଣ୍ଡା, ଶ୍ରୀ ଭୀମସେନ ପଣ୍ଡା, ଶ୍ରୀ ଦେବରାଜ ବେହେରା, ଶ୍ରୀ କ୍ଷେତ୍ରବାସୀ ସାହୁ, ଶ୍ରୀ ମାଧବ ଦଳେଇ, ଶ୍ରୀ ଆନନ୍ଦ ଚନ୍ଦ୍ର ଲେଙ୍କା (ମୁରାରିପୁର), ଶ୍ରୀ ଫକୀର ଭୁୟାଁ  (ମୁରାରିପୁର), ଶ୍ରୀ ରାଜ ଘଡ଼େଇ (ପାଇକ ବାରବାଟୀ),  ଶ୍ରୀ ଦାମ ରାଉତ (ପାଇକ ବାରବାଟୀ), ଶ୍ରୀ ପଞ୍ଚୁ ରଥ (ଦଶପଲ୍ଲା ଚାଲି ଯାଇଛନ୍ତି), ଶ୍ରୀମତୀ ଉର୍ମିଳା ଜେନା (ଶ୍ରୀ ଅଚ୍ୟୁତ ଜେନାଙ୍କ କନ୍ୟା), ଶ୍ରୀମତୀ କୁନ୍ତଳା ବେହେରା(ଶ୍ରୀ ଖଲି ଚୌଧୁରୀଙ୍କ କନ୍ୟା), ଏବଂ ଶ୍ରୀମତୀ କନକଲତା ଦଳେଇ ( ଶ୍ରୀ ବୃନ୍ଦାବନ ଦଳେଇଙ୍କ କନ୍ୟା) ଇତ୍ୟାଦି l ସମ୍ମାନସ୍ପଦ ଗୁରୁଜୀବୃନ୍ଦ ହେଲେ – ଶ୍ରୀ ମଦନ ମୋହନ ରଥ (ଶୋଲବନ୍ଧ), ଶ୍ରୀ ଜଗନ୍ନାଥ ପଣ୍ଡା (ଶୋଲବନ୍ଧ), ଶ୍ରୀ କ୍ଷେତ୍ରବାସୀ ରଥ (ପତଣ୍ଡା), ଶ୍ରୀ ତ୍ରିଲୋଚନ ପଣ୍ଡା ( ଗୋପାଳପୁର), ଏବଂ ଶ୍ରୀ ରାମଚନ୍ଦ୍ର ରଥ (ନରସିଂହପୁର) | ପୁରୁଣା ଗାଁ’ ରେ ଯେଉଁ ବିଦ୍ୟାଳୟଟି ଥିଲା ସେଠାରେ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢା ହେଉଥିଲା | ‘ଚମ୍ପେଶ୍ୱର’, ‘ଶୋଲବନ୍ଧ’ ରୁ ଯେଉଁ ଗୁରୁଜୀମାନେ ଏଠାରେ ଶିକ୍ଷାଦାନ ପାଇଁ ନିଯୁକ୍ତି ହୋଇଥିଲେ, ସେମାନେ କେବଳ ପିଲାଙ୍କ ପାଠପଢା ବାବଦରେ ପ୍ରଦାନ କରୁଥିବା ଅର୍ଥରୁ ସେମାଙ୍କର ପାରିଶ୍ରମିକ ପାଉଥିଲେ l ବର୍ଷାଦିନେ ବନ୍ୟା-ବାତ୍ୟା ଲାଗି ପ୍ରାୟତଃ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିଲା | ଦେଶ ସ୍ୱାଧୀନତାର ପ୍ରାରମ୍ଭିକ ଅବସ୍ଥାରେ ଏହି ପ୍ରଥମ ବ୍ୟାଚ ଛାତ୍ର-ଛାତ୍ରୀଙ୍କ ମାଧ୍ୟମରେ ‘ଏକଡାଳ’ ଗ୍ରାମ୍ୟ ନୂତନ ଜ୍ଞାନାଲୋକରେ ସଦଭାସିତ ହୋଇଥିଲା l ସାମାଜିକ ପରମ୍ପରା ଓ ସଂସ୍କୃତି, ଏହି ନବୀନ ତରୁଣ-ତରୁଣୀଙ୍କ ଉଦ୍ଦୀପନାରେ ଗାଁ’ ରେ ଗଢିଉଠିଥିଲା ଯୁବକ ସଂଘ, ଗ୍ରାମ୍ୟ ପାଠାଗାର, ଆକାଶବାଣୀ କୃଷକ କ୍ଲବ, ଦଣ୍ଡନୃତ୍ୟ, ରାମଲୀଳା, ପାଲା, ଦାସକାଠିଆ, ଓଡିଶୀ ସଂକୀର୍ତ୍ତନ ପରି ଲୋକକଳା ଓ ଲୋକନୃତ୍ୟ ଯାହାଦ୍ୱାରା ଗ୍ରାମ୍ୟ ପରିବେଶରେ ପ୍ରତିଭାସ ହେଉଥିଲା ନୂତନ ପୁଲକ l ଗ୍ରାମ୍ୟ ସଂସ୍କୃତି ପ୍ରତ୍ୟେକ ଗ୍ରାମବାସୀଙ୍କ ମନ ପ୍ରାଣରେ ଭରିଥିଲା ଅନାବିଳ ମମତାର ମହାର୍ଘ୍ୟତା l ଲୋକକଳା ଭାବରେ ‘ଦାସକାଠିଆ’ ରେ ଶ୍ରୀ ଗୋପୀନାଥ ସାହୁ, ଶ୍ରୀ ସନାତନ ସାହୁ(ପିତା – ଲିଙ୍ଗରାଜ ସାହୁ) ନିଜର ନିପୁଣତା ପ୍ରତିପାଦନକରି ଅନେକ ମଞ୍ଚରୁ ପୁରସ୍କୃତ ହୋଇଥିଲେ l ଉକ୍ତ ଦୁଇ ଭାଇଙ୍କର କଳା ନୈପୁଣ୍ୟ ଥିଲା ନୈସର୍ଗିକ l ‘ପାଲା ଗାୟକ’ ରୂପେ ଶ୍ରୀ କ୍ଷେତ୍ରବାସୀ ଭୂୟାଁ (ମୁରାରିପୁର)ଙ୍କ ପାରଦର୍ଶିତା ଜଗତ ବିଦିତ l ଗୁରୁ ଶ୍ରୀ ରାହାସ କରଙ୍କ ନିଷ୍ଠାପର ପ୍ରଚେଷ୍ଠାରେ ‘ଓଡିଶୀ ସଂକୀର୍ତ୍ତନ ମଣ୍ଡଳୀ’ ଶ୍ରୀ କେଶବ ମଣି (ଗାୟକ) ଶ୍ରୀ ବୃନ୍ଦାବନ ସାହୁ (ବାୟକ) ଶ୍ରୀ ଗୌରାଙ୍ଗ ବାରିକ (ବାୟକ), ଶ୍ରୀ ବସନ୍ତ ରାଉତ(ବାୟକ), ଶ୍ରୀ ମାଧବାନନ୍ଦ ଜେନା, ଶ୍ରୀ ଖଳେଶ୍ଵର ରାଉତ, ଏବଂ ଶ୍ରୀ ଦେବା ରାଉତ ଇତ୍ୟାଦିଙ୍କୁ ନେଇ ସର୍ବ ପ୍ରଥମେ ଆମ ଗ୍ରାମରେ ଗଢି ଉଠିଥିଲା l

ଭାରତ ସରକାରଙ୍କ ପଞ୍ଚବାର୍ଷିକ ଯୋଜନା ଦ୍ୱାରା ପ୍ରାୟତଃ ପ୍ରତ୍ୟେକ ବଡ ବଡ ଗ୍ରାମରେ ‘ସେବା ସମବାୟ ସମିତି’ କ୍ଷୁଦ୍ରଚାଷୀ ଓ ବ୍ୟବସାୟୀ ମାନଙ୍କ ଜୀବିକାରେ ଉନ୍ନତି ଆଣିବା ପାଇଁ ଖୋଲା ଯାଇଥିଲା l ଶ୍ରୀ ମଧୁସୂଦନ ମନ୍ତ୍ରୀ ଏହାର ପ୍ରଥମ ସମ୍ପାଦକ ଥିଲେ l ଏହା ‘ବାଙ୍କୀ କେନ୍ଦ୍ର ସମବାୟ ସମିତି’ ଦ୍ୱାରା ସହ ବନ୍ଧିତ ହୋଇ ନିଜର ବ୍ୟବସାୟ କାର୍ଯ୍ୟ ସମ୍ପଦନ କରିଥାଏ l ପୁରୁଣା ଗାଁ’ ରୁ ବାଗଧରିଆ, ଚାମ୍ପେଶ୍ୱର, ନରସିଂହପୁର ଯିବା ପାଇଁ ତିନୋଟି ରାସ୍ତା ଥିଲା l ଗ୍ରାମ ଦେବତୀ ମା’ ବାଉତୀ ଙ୍କ ପୁରୁଣା ବିଜେ ସ୍ଥଳୀ ଦେଇ ଗୋଟିଏ ‘ଚମ୍ପେଶ୍ୱର’କୁ ଦଣ୍ଡାରାସ୍ତା ଓ ଅନ୍ୟଟି ଡଙ୍ଗାଗଢା, ଖେଳପଡିଆ, ବାଜିଆଖାଲ ଦେଇ ବର୍ହାଖିଆ ନାଳ ପାରହୋଇ ‘ବାଗଧରିଆ’ ସହିତ ସଂଯୋଗ ହୋଇଥିଲା | ‘ନରସିଂହପୁର’ କୁ ମୁଖ୍ୟ ରାସ୍ତାଟି ମହାନଦୀ କୂଳେ କୂଳେ ମା’ ବିନିକାୟୀ, ଏବଂ ମା’ ନାହାକାଣୀ ଙ୍କ ବିଜେସ୍ଥଳୀ ଦେଇ ଗଣ୍ଡପଲ୍ଲୀ ଗାଁ ରାସ୍ତାରେ ମିଶିଥିଲା | ‘ଚନ୍ଦ୍ରଗିରି’ ପାହାଡର ଚାରି ପାଖରେ ନୂତନ ଗ୍ରାମ୍ୟ ‘ଏକଡାଳ’ ହେବାରୁ ଗାଁ ଲୋକେ ବିଶେଷ ଭାବେ ସ୍ନାନ ଶୌଚ ନିମନ୍ତେ ଖଳି, ନାଳ ଉପରେ ନିର୍ଭର କରୁଥିଲେ l ରାମଲୀଳା ଛକରୁ ଯେଉଁ ରାସ୍ତାଟି ବାଇପାସ ଦେଇ ଖଳି.ନାଳକୁ ସଂଯୋଗ କରୁଛି ତାହା ‘ଜେନାଘର ଖଳିତୋଠ’ ନାମରେ ପରିଚିତ ଥିଲା l ସେତେବେଳେ ‘ମହାନଦୀ’ ସିଧାମୂଳା ପାଖେ ପ୍ରବାହିତ ହେଉଥିବାରୁ ଖରାଦିନେ ନଦୀବାଲିରେ ଚାଲି, ନିଜେ ସ୍ନାନ-ଶୌଚ ହେବା ସହିତ ଗୋ-ମଇଁଷି ଆଦି ଗୃହପାଳିତ ପଶୁଙ୍କୁ ନଦୀକୁ ନେବା ସମ୍ଭବ ନଥିଲା l ଆଜି ଯେଉଁ ରାସ୍ତାଟି ‘ଏକଡାଳ’ ଗ୍ରାମର ବାଇପାସରୁ ଭ୍ରମରଢିପ ପୋଖରୀର ଉତ୍ତର ପାର୍ଶ୍ୱ ଦେଇ ବାରହାଖିଆ ନାଳ ପର୍ଯ୍ୟନ୍ତ ଲମ୍ବିଛି, ତାହାର ଉଦ୍ୟକ୍ତl ହେଉଛନ୍ତି ଶ୍ରୀ ମଧୁସୂଦନ ମନ୍ତ୍ରୀ | ପୂର୍ବରୁ ଏହି ରାସ୍ତାଟି ଗାଁ’ ରୁ ଖଳିତୋଠ ପର୍ଯ୍ୟନ୍ତ ଥିଲା l

‘ଓଡିଶା ସରକାରଙ୍କ ଶିକ୍ଷାନୀତି ୧୯୫୧’ ଦ୍ୱାରା ମୌଳିକ ଶିକ୍ଷାର ପ୍ରସାର ଓ ବିକାଶ ନିମନ୍ତେ ବ୍ୟକ୍ତିଗତ ଉଦ୍ୟମରେ ଶିକ୍ଷାନୁଷ୍ଠାନ ଗଢିବା ପାଇଁ ତା ୧୯/୦୫/୧୯୫୧ ରିଖ ରେ ଆଇନ ପ୍ରଣୟନ ହେଇଥିଲା l ଏହି ସମୟରେ ପ୍ରାୟ ପ୍ରତ୍ୟେକ ୫00 ରୁ ଉର୍ଦ୍ଧ ଅଧିବାସୀ ଥିବା ଗ୍ରାମ ଗୁଡିକରେ ପ୍ରାଥମିକ ଓ ମଧ୍ୟ ଇଂରାଜୀ ବିଦ୍ୟାଳୟ ସ୍ଥାପନ କରାଯାଇଥିଲା l ଆମ ଗ୍ରାମରେ ଏକ ମଧ୍ୟ ଇଂରାଜୀ ବିଦ୍ୟାଳୟ ଖୋଲିବା ପାଇଁ ତତ୍କାଳୀନ ବୁଦ୍ଧିଜୀବୀ ମହଲରେ ବିଚାର ଆଲୋଚନା ହୋଇ ୧୯୬୨ ମସିହା ଜୁଲାଇ ମାସରେ ‘ଏକଡାଳ ମଧ୍ୟ ଇଂରାଜୀ ବିଦ୍ୟାଳୟ’ ନାମରେ ଏକ ଶିକ୍ଷାନୁଷ୍ଠାନ ଖୋଲାଯାଇଥିଲା l ବିଦ୍ୟାଳୟ ପରିପରିଚାଳନା କମିଟିର ସଭାପତି ଥିଲେ ଶ୍ରୀ ମଧୁସୂଦନ ମନ୍ତ୍ରୀ ଓ ସମ୍ପାଦକ ଥିଲେ ଶ୍ରୀ ବଳରାମ ପଣ୍ଡା ଏବଂ ପ୍ରଥମ ହେଡ ମାଷ୍ଟର ଥିଲେ ଶ୍ରୀ ଲଡୁ କିଶୋର ପଣ୍ଡା (ଚାମ୍ପେଶ୍ୱର), ସହକାରୀ ଶିକ୍ଷକ ଥିଲେ ଶ୍ରୀ କୃଷ୍ଣଚନ୍ଦ୍ର ଜେନା (ଏକଡାଳ) l ପ୍ରଥମ ବ୍ୟାଚର ବିଦ୍ୟାର୍ଥୀଗଣ ହେଲେ ଶ୍ରୀ ଗୌରାଙ୍ଗ ସାହୁ, ଶ୍ରୀ ସତ୍ୟବାଦୀ ପ୍ରଧାନ, ଶ୍ରୀ ବନମାଳୀ ଜେନା, ଶ୍ରୀ ଚୈତନ୍ୟ ଜେନା, ଶ୍ରୀ ନିତ୍ୟାନନ୍ଦ ସ୍ୱାଇଁ, ଶ୍ରୀ କୁଳମଣି ରାଉତ, ଶ୍ରୀମତୀ ସରୋଜିନୀ ଜେନା, (ପିତା – ଶ୍ରୀ .ମଧୁସୂଦନ ଜେନା), ଶ୍ରୀମତୀ କାଞ୍ଚନ ଦଳେଇ (ପିତା – ଶ୍ରୀ ଗୌରାଙ୍ଗ ଦଳେଇ), ଶ୍ରୀମତୀ କଲ୍ୟାଣୀ ମହାନ୍ତି (ଘର ଗଞ୍ଜାମ ଜିଲ୍ଲା ତଥା ପିତା କୃଷି ଫାର୍ମରେ ଓଭରସିୟର ଥିଲେ), ଶ୍ରୀମତୀ ପ୍ରଭାତୀ ପଣ୍ଡା (ପିତା – ସୁଦର୍ଶନ ପଣ୍ଡା), ଶ୍ରୀମତୀ ଶିଶୁଳା ମହାରଣା (ପିତା – ଶ୍ରୀ ନାରାୟଣ ମହାରଣା), ଶ୍ରୀମତୀ ସୁବର୍ଣ୍ଣ ସେଠୀ  (ପିତା – ଶ୍ରୀ ଖଲିଆ ସେଠୀ), ଏବଂ ଶ୍ରୀମତୀ ଅପସରା ନାୟକ (ପିତା – ଶ୍ରୀ ଉଦୟ ନାୟକ, ପଦାମାଳ) ଇତ୍ୟାଦି l ପ୍ରଥମେ ବିଦ୍ୟାଳୟଟି ‘ଏକଡାଳ ଉ.ପ୍ରା. ବିଦ୍ୟାଳୟ’ ର ଏକ କୋଠରୀରେ ଆରମ୍ଭ ହୋଇଥିଲା l ସରକାରୀ ଶିକ୍ଷକ ଶ୍ରୀ କୃଷ୍ଣଚନ୍ଦ୍ର ଜେନା ଡିପ୍ଲୋମା ଇଂଜିନିୟରିଂ ପଢିବା ପାଇଁ ୧୯୬୪ ମସିହାରେ ତ୍ୟାଗପତ୍ର ଦେବାରୁ ତାଙ୍କ ପଦବୀ ପୁରାଣ କରିବା ପାଇଁ ଶ୍ରୀ ଲକ୍ଷ୍ମଣ କୁମାର ପଣ୍ଡା ଙ୍କୁ ‘ଏକଡାଳ ମଧ୍ୟ ଇଂରାଜୀ ବିଦ୍ୟାଳୟ’ କୁ ଆଣିବା ପାଇଁ ପରିଚାଳନା କମିଟିରେ ଆଲୋଚନା ହୋଇଥିଲା l ସେହି ବର୍ଷ ପ୍ରଧାନ ଶିକ୍ଷକ ଶ୍ରୀ ଲଡୁ କିଶୋର ପଣ୍ଡାଙ୍କୁ ମାସିକ ଦରମା ଦେବାରେ ପରିଚାଳନା କମିଟି ଟାଳଟୁଳ ନୀତି ଅବଲମ୍ବନ କରିବାରୁ ସେ ମଧ୍ୟ ନିଜ ପଦବୀରୁ ଇସ୍ତାଫା ଦେଇଥିଲେ l ଶ୍ରୀ ଲକ୍ଷ୍ମଣ କୁମାର ପଣ୍ଡା Pre – University (P.U.) ପାସକରି ଇସ୍ପାତ ନଗରୀ ରାଉରକେଲାରେ ଏକ ହୋଟେଲ ଆରମ୍ଭ କରିଥିଲେ l ସିଧାମୂଳାରେ ‘ମଧ୍ୟ ଇଂରାଜୀ ବିଦ୍ୟାଳୟ’ ଖୋଲିବାରୁ ସେ ରାଉରକେଲା ଛାଡି ଶିକ୍ଷକତା ପାଇଁ ସିଧାମୂଳା ବିଦ୍ୟାଳୟରେ ଯୋଗ ଦେଇଥିଲେ l ଆମ୍ଭ ଗ୍ରାମରୁ ଅନେକ ଛାତ୍ର ଡଙ୍ଗାରେ ନଦୀ ପାରହୋଇ ସିଧାମୂଳାରେ ‘ମଧ୍ୟ ଇଂରାଜୀ ବିଦ୍ୟାଳୟ’ ରେ ମଧ୍ଯ ଅଧ୍ୟୟନ କରୁଥିଲେ l ସିଧାମୂଳାରେ ଶ୍ରୀ ପଣ୍ଡା ଯେତିକି ଦରମା ପାଉଥିଲେ, ‘ଏକଡାଳ ବିଦ୍ୟାଳୟ’ ରୁ ସେତିକି ଦରମା ମିଳିବ ସମ୍ଭବପର ନଥିବାରୁ ସେ ‘ଏକଡାଳ’ ଆସିବାକୁ ବିଶେଷ ଇଚ୍ଛୁକ ନଥିଲେ l କିନ୍ତୁ ଗ୍ରାମର କିଛି ପ୍ରତିଭାଶାଳୀ ବ୍ୟକ୍ତି ତାଙ୍କୁ ‘ଏକଡାଳ ମଧ୍ୟ ଇଂରାଜୀ ବିଦ୍ୟାଳୟ’ ର ପ୍ରଧାନ ଶିକ୍ଷକ ପଦବୀରେ ଆଣିବା ପାଇଁ ବିଦ୍ୟାଳୟ ପରିଚାଳନା କମିଟିକୁ ସୁପାରିଶ କରୁଥିଲେ l ଏହି ସମୟରେ ‘ଏକଡାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ’ ରେ ଶ୍ରୀ ଚନ୍ଦ୍ରଶେଖର ଜେନା ହେଡ଼ ପଣ୍ଡିତ ଦାୟିତ୍ୱରେ ଥିଲେ l ତାଙ୍କ ତତ୍ୱାବଧାନରେ ୧୯୬୪ ମସିହାରେ ଆମ ‘ଏକଡାଳ’ ଗ୍ରାମରେ ଏକ ପୋଷ୍ଟ ଅଫିସ ଖୋଲିବା ପାଇଁ ଡାକ ବିଭାଗ ପକ୍ଷରୁ ନିର୍ଦ୍ଧେଶ ମିଳିବାରୁ ଏହାର ସମସ୍ତ ଦାୟିତ୍ୱ ହେଡ଼ ପଣ୍ଡିତ ଶ୍ରୀ ଚନ୍ଦ୍ରଶେଖର ଜେନାଙ୍କ ଉପରେ ନ୍ୟସ୍ତ ଥିଲା l ସେ ନିଜର ମୁଖ୍ୟ କର୍ତ୍ତବ୍ୟ ଶିକ୍ଷକତା ସହିତ ପୋଷ୍ଟ ମାଷ୍ଟର ର ଦାୟିତ୍ୱ ସମ୍ପାଦନା କରିବା ପାଇଁ ଉକ୍ତ ନିର୍ଦ୍ଧେଶ ପତ୍ରରେ ଦର୍ଶାଯାଇଥିଲା l ପୋଷ୍ଟ ମାଷ୍ଟର କାର୍ଯ୍ୟ ସେ ପ୍ରତିଦିନ ଦୁଇବେଳା ଦୁଇ ଘଣ୍ଟା ସମୟ ଧରି କରିଥାନ୍ତି l ଏଥିପାଇଁ  ଡାକ ବିଭାଗରୁ ତାଙ୍କୁ ସ୍ୱଳ୍ପ ଭତ୍ତା ମିଳିବାର ମଧ୍ଯ ବ୍ୟବସ୍ଥା ଥିଲା l ଏହି ‘ପୋଷ୍ଟ ମାଷ୍ଟର’ ପଦବୀ ଆଳରେ ଶ୍ରୀ ପଣ୍ଡାଙ୍କୁ ‘ଏକଡାଳ ଏମ.ଇ. ସ୍କୁଲ’ କୁ ଆଣିବା ପାଇଁ ପରିଚାଳନା କମିଟି ଏକ ସମ୍ଭାବ୍ଯ ପଥ ବୋଲି ବିଚାରକଲା | ତେଣୁ ପରିଚାଳନା କମିଟି, ଶ୍ରୀ ଚନ୍ଦ୍ର ଶେଖର ଜେନାଙ୍କୁ ନିଜର ‘ପୋଷ୍ଟ ମାଷ୍ଟର’ ପଦବୀ ଛାଡ଼ିବାକୁ ଅନୁରୋଧ କରିବା ହେତୁ ସେ, ଗ୍ରାମ୍ୟ ଶିକ୍ଷାର ଉନ୍ନତି ପାଇଁ ସେହି ପଦବୀ ଛାଡିଥିଲେ l ପରବର୍ତ୍ତୀ ସମୟରେ ଶ୍ରୀ ପଣ୍ଡା ‘ପୋଷ୍ଟ ମାଷ୍ଟର’ ଦାୟିତ୍ଵ ସାଥେ ‘ଏକଡାଳ ଏମ.ଇ. ବିଦ୍ୟାଳୟ’ ର ପ୍ରଧାନ ଶିକ୍ଷକ ପଦବୀ ଗ୍ରହଣ କରିଥିଲେ l ଏକଡାଳ ପୋଷ୍ଟ ଅଫିସର ଅନ୍ୟ ଦୁଇଟି ପଦବୀ, ଡାକ ପିଅନ ଓ ଡାକ ବାହକ ଭାବରେ ଶ୍ରୀ ରଘୁନାଥ ମୋଛି ଓ ଶ୍ରୀ ମାଧବାନନ୍ଦ ଜେନାଙ୍କୁ ଯଥାକ୍ରମେ ଶ୍ରୀ ଭରତ ମନ୍ତ୍ରୀ ଓ ଶ୍ରୀ ଚନ୍ଦ୍ର ଶେଖର ଜେନାଙ୍କ ସୁପାରିସ କ୍ରମେ ଚାକିରୀରେ ନିଯୁକ୍ତି କରାଯାଇଥିଲା | ‘ଏକଡାଳ’ ଗ୍ରାମର ପୋଷ୍ଟ ଅଫିସକୁ ବଞ୍ଚେଇରଖିବା ପାଇଁ ସେତେବେଳର ଚାକିରିଆ, ବାହାରେ ପଢ଼ୁଥିବା ଛାତ୍ରଗଣ, ଗ୍ରାମରେ ବସବାସ କରୁଥିବା ଶିକ୍ଷିତ ଯୁବକ ସମାଜ ନିଜ ହାତରୁ ଅର୍ଥବ୍ୟୟ କରି, ବିନା କାରଣରେ , ଚିଠିପତ୍ର, ମନି ଅର୍ଡର, ଆଦି ଆଦାନ ପ୍ରଦାନ କରିବା ଦ୍ୱାରା ଆଜି ଉକ୍ତ ଡାକଘରଟି ଆମ ଗ୍ରାମରେ ତିଷ୍ଟି ରହିଛି l

ଭାରତ ସରକାରଙ୍କ ପ୍ରଦତ୍ତ ମହିଳା ଶିଶୁମାନଙ୍କୁ ପୃଷ୍ଟିସାର ଖାଦ୍ୟ ଯୋଜନାକୁ ସୁଫଳ ରୂପାୟନ କରିବା ପାଇଁ ଆମ ଗ୍ରାମରେ ଏକ ମହିଳା ସମିତି ଗଠିତ ହୋଇଥିଲା l ଉକ୍ତ ସମିତିର ସଭାନେତ୍ରୀ ଭାବେ ଶ୍ରୀମତୀ ଗୁରେଇ ଜେନା (ସ୍ୱାମୀ – ଶ୍ରୀ ଅଚ୍ୟୁତ ନନ୍ଦ ଜେନା) ଓ ସମ୍ପାଦକ ଭାବେ ଶ୍ରୀମତୀ ଉର୍ମିଳା ବାରିକ(ସ୍ୱାମୀ – ଗୌରାଙ୍ଗ ବାରିକ) କାର୍ଯ୍ୟ ନିର୍ବାହ କରୁଥିଲେ l ଗହମ, ବାଜରା, ମକ୍କା ର ଉପମା ଖାଦ୍ୟ ରୂପେ ପ୍ରତିଦିନ ଅପରାହ୍ନ ରେ ଶିଶୁ ମାନଙ୍କୁ ବଣ୍ଟନ କରାଯାଉଥିଲା l ଏହି ଯୋଜନାର ଲକ୍ଷ୍ୟଥିଲା ୭୦ ରୁ ୯୦ ଦଶକ ମଧ୍ୟରେ ଘରେ ଘରେ ଦେଖା ଦେଉଥବା ଖାଦ୍ୟାଭାବ ଓ ଅପପୃଷ୍ଟି କୁ ଅନେକାଂଶରେ ଦୂର କରିବା l ବିଶେଷତଃ ଉକ୍ତ ସମିତି ଦ୍ୱାରା, ମହିଳାମାନଙ୍କର ସମସ୍ୟାଗୁଡିକ ପ୍ରତି ସରକାର ସଜାଗ ହେବା ଓ ସମାଧାନ କରିବାରେ ସଫଳ ହୋଇଥିଲେ l

‘ଏକଡାଳ ଉ. ପ୍ରା. ବିଦ୍ୟାଳୟ’ ର ହେଡ଼ ପଣ୍ଡିତ ଦାୟିତ୍ୱ ରେ ଶ୍ରୀ ଚନ୍ଦ୍ର ଶେଖର ଜେନା ଥିବା ସମୟରେ ଛାତ୍ର ଛାତ୍ରୀ ମାନଙ୍କର ସଂଖ୍ଯାବୃଦ୍ଧିକୁ ଲକ୍ଷ କରି ସେ ଏକ ନିମ୍ନ ପ୍ରାଥମିକ ବିଦ୍ୟାଳୟ ଖୋଲିବା ପାଇଁ ଶିକ୍ଷା ବିଭାଗ କୁ ଦରଖାସ୍ତ କରିଥିଲେ l ୧୯୬୬ ମସିହାରେ ଶିକ୍ଷା ବିଭାଗ ଉକ୍ତ ଦରଖାସ୍ତ ଉପରେ ତଦନ୍ତ କରି ଏକ ‘ନିମ୍ନ ପ୍ରାଥମିକ ବିଦ୍ୟଳୟ’ ଖୋଲିବା ପାଇଁ ମଂଜୁର ଦେବା ସହିତ ହେଡ଼ ପଣ୍ଡିତ ଶ୍ରୀ ଜେନାଙ୍କୁ ଏହାର ସଠିକ କାର୍ଯ୍ୟ କରିବା ପାଇଁ ନିର୍ଦ୍ଧେଶ ଦେଇଥିଲେ l ନୂତନ ଛାତ୍ର ସଂଗ୍ରହ ସହିତ ନିଜ ଘରୁ ଚୌକି, ଟୁଲ ଆଦି ଆସବାବ ନେଇ ସର୍ବ ପ୍ରଥମେ ଚନ୍ଦ୍ରଗିରି ପାହାଡର ପୂର୍ବ ପାର୍ଶ୍ୱରେ ଥିବା ଶ୍ରୀ ବିଦ୍ୟାଧର ରଣା ଙ୍କ ଦାଣ୍ଡ ପାଖ ବାରଣ୍ଡାରେ ବିଦ୍ୟାଳୟଟି ଆରମ୍ଭ ହୋଇଥିଲା l ଏ ଉକ୍ତ ବିଦ୍ୟାଳୟରେ ସେ ଶିକ୍ଷକତା କରିଥିଲେ l ବର୍ଷର ଅନେକ ସମୟରେ ଗେନଗୋଲା . ଘରେ ଓ ତାର ପାର୍ଶ୍ୱରେ ଥିବା ମାଳବନ୍ଧ ଉପରେ ସ୍କୁଲ ଚାଲୁଥିଲା l ପ୍ରାୟ ଦୁଇ ବର୍ଷ ଯାଏଁ ଏହାର କୌଣସି ସ୍ଥାୟୀ ଶ୍ରେଣୀଗୃହ ନିର୍ମାଣ ହୋଇନଥିଲା l ପରବର୍ତ୍ତୀ ସମୟରେ ଗ୍ରାମବାସୀଙ୍କ ସହଯୋଗରେ ମା’ ବାଉତୀ ଙ୍କ ପିଠକୁ ଲାଗି ଆମ୍ବତୋଟାରେ ନୂଆସାହିରେ ଏକ ନଡାଛପର ତାଟିବାଡ଼ର ବିଦ୍ୟାଳୟ ଘର ନିର୍ମାଣ କରି ସ୍ଥାୟୀ ରୂପେ ଶିକ୍ଷାଦାନ କରାଗଲା l ସେତେବେଳେ ଘରକୁ ଘର ବୁଲି ପିଲାଙ୍କୁ ବିଦ୍ୟାଳୟକୁ ଆଣିବା ଏତେଟା ସହଜ ନଥିଲା l ପେଟକୁ ଦାନ ଓ ପିଠିକୁ କଣ ଖଣ୍ଡେ ନଥିବା ପିଲା କି ବା’ ପାଠ ପଢିବ ? ବାପା – ମା ମାନେ ପିଲାଙ୍କୁ ୬/୭ ବର୍ଷ ହୋଇଗଲେ, ପର ଘରେ କୋଠିଆ, ହଳିଆ କାମକରିବାକୁ ପଠାଇ ଦେଉଥିଲେ l ଶିକ୍ଷା ର ମୂଲ୍ୟ ଏମାନଙ୍କ ପାଇଁ ତୁଚ୍ଛ ଥିଲା l ଘାସ କାଟିବା, ମାଛ ଧରିବା, ଗାଈ, ଗୋରୁ ଚରାଇବା ଵିଲ ଜଗିବା ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ ଥିଲା l ସମୟର ବିବର୍ତ୍ତନବାଦରେ ଉକ୍ତ ବିଦ୍ୟାଳୟଟି ‘ପୂର୍ବ ଏକଡାଳ ପ୍ରାଥମିକ ବିଦ୍ୟାଳୟ’ ରେ ପରିଣତ ହେଲା  |

ସମସ୍ତଙ୍କ ପାଇଁ ଶିକ୍ଷା ର ସୁଫଳ ନିମନ୍ତେ ୨୦୦୦ ମସିହାରେ ଭାରତ ସରକାର ‘ସର୍ବଶିକ୍ଷା ଅଭିଯାନ ଯୋଜନା’ କାର୍ଯ୍ୟକାରୀ କରିଥିଲେ l ଏହି ଯୋଜନା ଅନୁଯାୟୀ ଯେଉଁଠାରେ ଗୋଟିଏ ହତା ମଧ୍ୟରେ ‘ପ୍ରାଥମିକ ବିଦ୍ୟାଳୟ’ ଓ ‘ମଧ୍ୟ ଇଂରାଜୀ ବିଦ୍ୟାଳୟ’ ଅବସ୍ଥିତଥିବେ, ସସେଗୁଡ଼ିକର ମିଶ୍ରଣକରି ଜଣେ ହେଡ଼ ମାଷ୍ଟରଙ୍କ ଦାୟିତ୍ୱରେ ପରିଚାଳିତ କରିବାର ନୀତି ନିର୍ଦ୍ଧେଶ ଥିବାରୁ ତଦାନିତନ ବିଦ୍ୟାଳୟ ସବ – ଇନ୍ସପେକ୍ଟର, ନରସିଂହପୁର, ଶ୍ରୀ ଚୈତନ୍ୟ କୁମାର ପଣ୍ଡା ‘ପୂର୍ବ ଏକଡାଳ ପ୍ରାଥମିକ ବିଦ୍ୟାଳୟ’ ଓ ‘ଏକଡାଳ ମଧ୍ୟ ଇଂରାଜୀ ବିଦ୍ୟାଳୟ’ ର ସଠିକ ଅବସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ବିଦ୍ୟାଳୟ ପରିଦର୍ଶନରେ ଆସିଥିଲେ l ଉକ୍ତ ଦୁଇ ବିଦ୍ୟାଳୟର ମଧ୍ୟ ଭାଗରେ ‘ବାଉତୀ ବିଦ୍ୟାପୀଠ, ଏକଡାଳ’ (ଉଚ୍ଚ ଇଂରାଜୀ ବିଦ୍ୟାଳୟ) ଅବସ୍ଥିତ ଥିବାରୁ ବିଦ୍ୟାଳୟ ମିଶ୍ରଣରେ ସମସ୍ୟା ପରିଲିଖିତ ହୋଇଥିଲା l ଏହି ସମସ୍ୟାରୁ ଫାଇଦା ନେଇ ସେତେବେଳର ଏମ.ଇ. ସ୍କୁଲର ଶିକ୍ଷକଗଣ ପ୍ରଶାସନ ତଥା ବିଭାଗୀୟ ଶିକ୍ଷା ଅଧିକାରୀଙ୍କ ପାଖେ ମିଶ୍ରଣ ନହେବା ପାଇଁ ଦ୍ୱାରସ୍ଥ ହୋଇଥିଲେ l ଦଳମତ ଉର୍ଦ୍ଧରେ ଗ୍ରାମ୍ୟଶିକ୍ଷାର ଉନ୍ନତି ନିମନ୍ତେ ତତ୍କାଳୀନ ପଞ୍ଚାୟତ ସମିତି ସଭ୍ୟା ତଥା ଭାଇସ ଚେୟାର ପର୍ସନ, ନରସିଂହପୁର, ର ଶ୍ରୀମତୀ ସରୋଜିନୀ ସ୍ୱାଇଁ ନିଜର ଲେଟର ପ୍ୟାଡ଼ରେ ସ୍କୁଲ ସବ-ଇନ୍ସପେକ୍ଟର, ନରସିଂହପୁର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ନରସିଂହପୁର, ଶିକ୍ଷାଜିଲ୍ଲା ଇନ୍ସପେକ୍ଟର, ଆଠଗଡ ଓ ଶିକ୍ଷା ସର୍କଲ ଇନ୍ସପେକ୍ଟର, କଟକ, ଙ୍କୁ ଉଭୟ ବିଦ୍ୟାଳୟର ମିଶ୍ରଣ ସପକ୍ଷରେ ନିଜର ଓ ସର୍ବସାଧାରଣଙ୍କର ମତକୁ ସରକାରଙ୍କ କର୍ତ୍ତୃପକ୍ଷଙ୍କ ଅବଗତି ଓ ତ୍ୱରିତ କାର୍ଯ୍ୟାନିଷ୍ଠାନ ନିମନ୍ତେ ପ୍ରେରଣ କରିଥିଲେ l ଉକ୍ତ ଦରଖାସ୍ତ ବଳରେ ସରଜମିନ ତଦନ୍ତ ପାଇଁ ଶ୍ରୀ ଚୈତନ୍ୟ କୁମାର ପଣ୍ଡା ପୁଣିଥରେ ‘ଏକଡାଳ’ ଆସି ଉଭୟ ବିଦ୍ୟାଳୟର ଦୂରତ୍ବକୁ ମିଟର ଫିତାରେ ମାପଚୁପକରି ନିଜର ତଦନ୍ତ ରିପୋର୍ଟ, ସ୍କୁଲ ଡ଼.ଆଇ, ଆଠଗଡଙ୍କୁ ଅବଗତ କରି ଉଲ୍ଲେଖ କରିଥିଲେ ଯେ, ଉଭୟ ବିଦ୍ୟାଳୟ ମଧ୍ୟରେ ଦୂରତ୍ୱ ମାତ୍ର ୫୦ ମିଟରରୁ କମ ଓ ଗୋଟିଏ ସାବକ ପ୍ଲଟରୁ ବାଇପ୍ଲଟ ହୋଇ ଦୁଇ ବିଦ୍ୟାଳୟର ପଟ୍ଟା ହାସଲ କରାଯାଇଅଛି | ଶୈକ୍ଷିକ ପରିବେଶକୁ ଦେଖିଲେ ଦୁଇ ବିଦ୍ୟାଳୟର ମିଶ୍ରଣ ଉତ୍ତମ ଓ ଏଥିରେ କୌଣସି ପ୍ରକାର ବାଧା ନାହିଁ l ଏହାର ଫଳ ସ୍ୱରୂପ ଦୁଇ ବିଦ୍ୟାଳୟ ୨୦୦୨ ମସିହାରୁ ଗୋଟିଏ ହତା ତଥା ଜଣେ ପ୍ରଧାନ ଶିକ୍ଷକଙ୍କ ଅଧୀନରେ ରହି ସୁଚାରୁରୂପେ ପରିଚାଳିତ ହୋଇଆସୁଥିଲା l  ତା ଅଗଷ୍ଟ ୩୦, ୨୦୧୭ ରିଖ ରେ ‘ଓଡିଶା ସରକାର’ ବିଦ୍ୟାଳୟ ମିଶ୍ରଣ ପାଇଁ ବିଜ୍ଞପ୍ତି ପ୍ରଣୀତ କରିଥିଲେ, ଯହିଁରେ ଉଲ୍ଲେଖଥିଲା ଏକ କି.ମି. ବ୍ୟବଧାନରେ ଗୋଟିଏ ପଞ୍ଚୟତରେ ଥିବା U. P. School ଓ High School ର ମିଶ୍ରଣ ହେବ ଓ ପ୍ରଥମରୁ ଅଷ୍ଟମ ଶେଣୀ ପର୍ଯ୍ୟନ୍ତ ଏଲିମେଣ୍ଟାରୀ ଶିକ୍ଷା ଅଧୀନରେ ଓ ନବମ – ଦଶମ ଶ୍ରେଣୀ ସେକେଣ୍ଡାରୀ ଶିକ୍ଷା ଅଧୀନରେ ରହି ପରିଚାଳିତ ହେବ l ଏହି ଆଇନ ଦ୍ୱାରା ଆମ ଗ୍ରାମର ‘ପୂର୍ବ ଏକଡାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ’ ଓ ‘ବାଉତୀ ବିଦ୍ୟାପୀଠ, ଏକଡାଳ’ ମିଶ୍ରିତ ହୋଇ ଏକ ‘ନୋଡାଲ ହାଇସ୍କୁଲ’ ରେ ପରିଣତ ହେଲା ଓ ଏହାର ନାମ ‘ବାଉତୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଏକଡାଳ’ ଭାବେ ସରକାରଙ୍କ ଦ୍ୱାରା ନାମିତ କରାଗଲା l

ଶରୀର ଅଛି ମାନେ ରୋଗ ଅଛି l ଏକ ସୁସ୍ଥ, ନିରାମୟ ଜୀବନ ପାଇଁ ଶରୀର ନିରୋଗ ହେବା ଆବଶ୍ୟକ l ରୋଗର ଉପଚାର ନିମନ୍ତେ ଔଷଧ ଅପରିହାର୍ଯ୍ୟ l ଜଣେ ଉତ୍ତମ ଚିକିତ୍ସକ ଓ ହାତ ପାଖରେ ଥିବା ଚିକିତ୍ସାଳୟ ମନୁଷ୍ୟକୁ ମୃତ୍ୟୁ ମୁଖରୁ ରକ୍ଷା କରିଥାଏ l ଚାତୁର୍ମାସ୍ୟାରେ ଗମନା ଗମନର ଅସୁବିଧା ହେତୁ ‘ଏକଡାଳ ବାସୀ’, କାନପୁର ଓ ନରସିଂହପୁର ଡାକ୍ତରଖାନାର ‘ଅତି ଜରୁରୀ କାଳୀନ ସେବା’ ରୁ ବଞ୍ଚିତ ହେଉଥିଲେ l ଅନେକ ସମୟରେ ସାଧାରଣ ରୋଗ ସେବାରୁ ବଞ୍ଚିତ ହୋଇ ଅନେକ ଲୋକ ପ୍ରାଣ ହରାଇଛନ୍ତି l ବର୍ତ୍ତମାନ ସମୟରେ ପ୍ରତ୍ୟେକ ଗ୍ରାମରେ ପ୍ରାଥମିକ ଚିକିତ୍ସା ଉପଲବ୍ଧ ହେବା ଅତି ଆବଶ୍ୟକ ହୋଇ ପଡିଛି l ଏହାକୁ ହୃଦୟଙ୍ଗମ କରି ‘ଭାରତ ସରକାର’, ‘ଷଷ୍ଠ – ପଞ୍ଚବାର୍ଷିକ ଯୋଜନା (୧୯୮୦ – ୮୫)’ ଦ୍ଵାରା ସମସ୍ତଙ୍କ ପାଇଁ ୨୦୦୨ ମସିହା ସୁଦ୍ଧା ପ୍ରାଥମିକ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଲକ୍ଷ ଧାର୍ଯ୍ୟ କରିଥିଲେ l ଏହି ଯୋଜନା ଅନ୍ତର୍ଗତ ଆମ ଗ୍ରାମରେ ଏକ ‘ଏଲୋପାଥିକ ଚିକିତ୍ସାଳୟ’ ସ୍ଥାପନ କରିବାପାଇଁ ତତ୍କାଳୀନ ଗ୍ରାମ୍ୟ କମିଟିର ସଭାପତି ଶ୍ରୀ ସୁରଥ ମନ୍ତ୍ରୀ ଓ ସମ୍ପାଦକ ଶ୍ରୀ ଯୋଗିନାଥ ସାହୁ ଓ ଅନ୍ୟାନ୍ୟ ଗଣ୍ୟମାନ୍ୟ ଭଦ୍ରବ୍ୟକ୍ତିଗଣ ଯଥାଯୋଗ୍ୟ ପ୍ରଚେଷ୍ଠା କରିଥିଲେ l ୧୯୯௦ – ୯୫ ମଧ୍ୟରେ ବଡ଼ମ୍ବା – ନିର୍ବାଚନ ମଣ୍ଡଳୀର ବିଧାୟକ ଥିଲେ ଯୁବରାଜ ଶ୍ରୀଯୁକ୍ତ ତ୍ରିଲୋଚନ ସିଂହଦେଓ l ଏକଡାଳରେ ଥିଲା ତାଙ୍କର ବନ୍ଦାଣ ଗ୍ରାମ୍ୟ l ଆମ୍ଭ ଗ୍ରାମ୍ୟ ପ୍ରତି ରାଜା ସାହେବ ଶ୍ରାଦ୍ଧାଶିଳ ହୋଇ ସବୁ ପ୍ରକାର ସାହାଯ୍ୟ ସହଯୋଗ କରିବାରେ ମାନସିକ ସ୍ତରରେ ଦ୍ଵିଧା ପ୍ରକାଶ କରୁନଥିଲେ l ସେ ସମୟରେ ‘ଏକଡାଳ’ ଓ ‘ବନ୍ଧହୁଡ଼ା’ ଠାରେ ଡାକ୍ତରଖାନା ଖୋଲିବା ପାଇଁ ଉଭୟ ଗ୍ରାମବାସୀ ନିଜେ ନିଜର ଚେଷ୍ଟା ଜାରି ରଖିଥିଲେ l ମାନ୍ୟବର ବିଧାୟକ ରାଜାସାହେବ, ପ୍ରଥମେ ଆମ୍ଭ ଗ୍ରାମରେ ଏକ ‘ହୋମିଓ ପାଥିକ ଚିକିତ୍ସାଳୟ’ ଖୋଲିବାପାଇଁ ଉପଦେଶ ଦେଇଥିଲେ ମାତ୍ର ଗ୍ରାମ୍ୟ କମିଟି ଉକ୍ତ ପ୍ରସ୍ତାବକୁ ଅଗ୍ରାହ କରିଥିଲେ l ରାଜସାହେବଙ୍କ ଅତି ପାଖଲୋକ ନରସିଂହପୁର ବାସିନ୍ଦା  ଶ୍ରୀ ଶ୍ରୀବତ୍ସ ମିଶ୍ର, ଏକଡାଳ ଏକ ନଦୀକୂଳିଆ , ଉପାନ୍ତ ଗ୍ରାମ ହୋଇଥିବାରୁ ସେଠାରେ ହୋମିଓପାଥିକ ଚିକିତ୍ସାଳୟ ପରିବର୍ତ୍ତେ ଏକ ଏଲୋପାଥିକ ଚିକତ୍ସାଳୟ ସ୍ଥାପନ କରାଗଲେ ଏକଡାଳ ସହିତ, ପଦାମାଳ, ପାଇକ ବାରବାଟୀ, ଭାଲିଆଡିହ ଓ ପୁରୁଣା ବରହମ୍ପୁରାର ଅଧିବାସୀମାନେ ଉପକୃତ ହୋଇପାରିବେ ବୋଲି ରାଜସାହେବଙ୍କୁ ପ୍ରବର୍ତ୍ତାଇବାରେ ସଫଳହୋଇ ସୁପାରିଶ ହାସଲ କରିବାରେ ଆମ୍ଭଙ୍କୁ ସାହାଯ୍ୟ କରିଥିଲେ l ସେତେବେଳର ବିଜୁ ପଟ୍ଟନାୟକଙ୍କ ସରକାର (୧୯୯୦ – ୯୫)ରେ ‘ସାଏଦ ମୁସ୍ତାଫିଦ ଅହମଦ’ ‘ସ୍ଵସ୍ଥ୍ଯ ଓ ପରିବାର କଲ୍ୟାଣ’ ମନ୍ତ୍ରୀ ଥିଲେ  ଓ ଡ଼ଃ ପ୍ରମିଳା ମହାନ୍ତି କଟକ CDMO ଥିଲେ l ଶ୍ରୀଯୁକ୍ତ ବଳରାମ ପଣ୍ଡା ଏକଡାଳ ଗ୍ରା.ପ.ର ସରପଂଚ ଓ ଶ୍ରୀ ରଜନୀକାନ୍ତ ପଣ୍ଡା ପଞ୍ଚାୟତ ସମିତି ସଦସ୍ୟ ତଥା ଶ୍ରୀ ମନୋରଞ୍ଜନ ନାୟକ ନରସିଂହପୁର ପଞ୍ଚାୟତ ସମିତିର ଅଧକ୍ଷ ଥିଲେ l ଶ୍ରୀ ନାୟକ ଏକଡାଳରେ ଡାକ୍ତରଖାନା ଖୋଲିବା ପାଇଁ ଦରଖାସ୍ତ ପତ୍ରରେ ନିଜର ସକରାତ୍ମକ ଅନୁମୋଦନ ପ୍ରଦାନ କରିଥିଲେ l ସମସ୍ତ ପ୍ରକାରର ଦରଖାସ୍ତ ପତ୍ରକୁ ଡ଼ଃ ନାରାୟଣ ରାଉତ ସମ୍ପାଦନା କରିଥିଲା ବେଳେ ନଥିପତ୍ର କାମକୁ ଶ୍ରୀ ସୁରଥ ମନ୍ତ୍ରୀ, ଶ୍ରୀ ଯୋଗିନାଥ ସାହୁ, ଶ୍ରୀ ଗୋଲେଖ ମହାରଣା, ଶ୍ରୀ ଗୋକୁଳାନନ୍ଦ ସ୍ୱାଇଁ, ଏବଂ ଶ୍ରୀ ମାୟାଧର ଜେନା ସଂଚାଳନ କରିଥିଲେ l ଡାକ୍ତରଖାନା ପାଇଁ ଜମି ଯୋଗାଇ ଦେବାରେ ଶ୍ରୀ ରଜନୀକାନ୍ତ ପଣ୍ଡା ଓ ଡାକ୍ତରଖାନାର କର୍ମଚାରୀ ମାନେ ରହିବା ପାଇଁ ଶ୍ରୀ ଭରତ ମନ୍ତ୍ରୀ ସହଯୋଗ କରିଥିଲେ l ଅନ୍ୟ ଯେଉଁ ଭଦ୍ରବ୍ୟକ୍ତି ମାନେ ଉକ୍ତ ମହତ କାର୍ଯ୍ୟରେ କୁଟନୀତିକ ସହଯୋଗ କରିଥିଲେ, ସେମାନେ ହେଲେ, ଶ୍ରୀ ବ୍ରଜବନ୍ଧୁ ରାଉତ, ଶ୍ରୀ ଚନ୍ଦ୍ର ଶେଖର ଜେନା, ଶ୍ରୀ ଦାଶରଥି ପ୍ରଧାନ, ଏବଂ ଶ୍ରୀ କମଳ ଲୋଚନ ଜେନା l ପୁରୁଣା ଡାକ୍ତରଖାନା ଗୃହର ନକ୍ସାକୁ ‘ଏକଡାଳ’ର ଇଂ ଶ୍ରୀ ପରମାନନ୍ଦ ସାହୁ ଅଙ୍କନ କରିଥିଲେ l ସର୍ବଶେଷରେ ରାଜସାହେବ ଓ CDMO  କଟକଙ୍କ ସଦେୟ ସହଯୋଗ ଓ ସୁପାରିଶ ଯୋଗୁଁ ୧୯୯୫ ମସିହାରେ ଶ୍ରୀ ବିଜୁ ପଟ୍ଟନାୟକ ଙ୍କ ସରକାରରେ ‘ଏକଡାଳ’ ଗ୍ରାମର ଉକ୍ତ ସ୍ୱାସ୍ଥ୍ୟ ମନ୍ଦିରକୁ ମଂଜୁର ପ୍ରଦାନ କରାଗଲା l ପରବର୍ତ୍ତୀ ସମୟରେ ମାନ୍ୟବର ପ୍ରୋକ୍ତlନ ‘ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ’ ମନ୍ତ୍ରୀ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର ‘ଏକଡାଳ’ ଡାକ୍ତରଖାନାର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାରୀ ସ୍ତରରେ ସବୁ ପ୍ରକାର ସାହାଯ୍ୟ ପ୍ରଦାନ କରିଥିଲେ ଯେହେତୁ ‘ଏକଡାଳ’ ଓ ‘ବନ୍ଧୁହୁଡ଼ା’ ଗ୍ରାମ ମଧ୍ୟରେ ଡାକ୍ତରଖାନା ସ୍ଥାପନ ନିମନ୍ତେ ପ୍ରତିଯୋଗିତା ତୀବ୍ରତର ଥିଲା, ଏଣୁ ବହୁ ଗୋପନୀୟତାର ସହିତ କାର୍ଯ୍ୟକରି ଉକ୍ତ ଗଣ୍ୟମାନ୍ୟ ବ୍ୟକ୍ତିମାନେ ଡାକ୍ତରଖାନା ପ୍ରତିଷ୍ଠା କରିବାରେ ସଫଳତା ହାସଲ କରିଥିଲେ l

ଏ ସବୁ ବିଗତ ଏକଶତ ବର୍ଷର ‘ଏକଡାଳ’ ଗ୍ରାମର କେତେକ ମୁଖ୍ୟ ଘଟଣାବଳୀ, ଯାହାକି ବୟୋବୃଦ୍ଧ, ବୟୋବୃଦ୍ଧାଙ୍କ ମୁଖନିଃସୃତ ବାଣୀରୁ ସଂଗୃହୀତ ତଥ୍ୟ ଉପରେ ଆଧାରିତ ସାରାଂଶ ଇତିହାସ l ସାମାଜିକ ଚଳଣି, ଗ୍ରାମ୍ୟ କଳା, ସଂସ୍କୃତି, ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଶାରୀରିକ, ମାନସିକ ଓ ଆର୍ଥିକ ସାହାଯ୍ୟ, ସହଯୋଗ ଦେଇ ଏ ମାଟିର ଯେଉଁ ଯୋଗ୍ୟ ସନ୍ତାନଗଣ ରୁଦ୍ଧିମନ୍ତ କରିଥିଲେ ଏବଂ ଏହାର ସଫଳ ରୂପାୟନ ପାଇଁ ସ୍ୱୀକାର କରିଥିଲେ ନାନା ପ୍ରକାର ନିର୍ଯ୍ୟାତନାର ଯନ୍ତ୍ରଣା, ସେମାଙ୍କର ଏହି ଦୁଃଖଦ ପୀଡା ପ୍ରତି ସାମ୍ପ୍ରତିକ ଗ୍ରାମ୍ୟ ଯୁବ ସମାଜ କୃତଜ୍ଞତା ଜ୍ଞାପନ ପୂର୍ବକ ସମ୍ବେଦନଶୀଳ ହେବା ଉଚିତ l ଚଳିତ ‘ସୁବର୍ଣ୍ଣ ଜୟନ୍ତୀ’ ଅବସରରେ ମୁଁ’ ଭୂମିଷ୍ଠ ପ୍ରଣାମ କରୁଛି ମୋ ମା’ ଙ୍କୁ, ମୋ ଗାଁ’ କୁ , ମୋ ବିଦ୍ୟାମନ୍ଦିରକୁ ଏବଂ ସ୍ମରଣ କରୁଛି ଶ୍ରୀମଦ ଭାଗବତର ଉକ୍ତ ଉଦ୍ଧୃତ ପଦକୁ – “ବ୍ରହ୍ମା ଯେ ବିଷ୍ଣୁ ମହେଶ୍ୱର, ତିନିହେଁ ମିଶି ଏକଡାଳ” |

Leave a Comment

Your email address will not be published. Required fields are marked *

Scroll to Top